ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

ରାସୋଳ, ୬ା୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜରେ ଶୁକ୍ରବାର ପୁଣି ମୁଣ୍ଡ ନେଇଛି ଗୋଠଛଡ଼ା ଦନ୍ତା। ମୃତକ ହେଲେ ରାସୋଳ ସେକ୍ସନ ଜରଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିକିଆରୀ ଗ୍ରାମର ଲକ୍ଷ୍ମୀଧର ପାତ୍ର (୭୦)। ଶୁକ୍ରବାର ଭୋର୍‌ ସମୟରେ ଲକ୍ଷ୍ମୀଧର ଶୌଚ ହେବା ପାଇଁ ଘର ନିକଟ ପୋଖରୀକୁ ଯାଇଥିବାବେଳେ ଉକ୍ତ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ହିଂସ୍ର ହାତୀ ତାଙ୍କୁ ଶୁଣ୍ଢରେ ଟେକିନେଇ କଚାଡ଼ି ଦେଇଥିଲା। ଲକ୍ଷ୍ମୀଧରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବାବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନା ପାଇ ଡେପୁଟି ବନାଞ୍ଚଳ ଅଧିକାରୀ ରାକେଶ ଦଳେଇ, ରାସୋଳ ବନପାଳ ଶୁଭେନ୍ଦୁ ଭୂୟଁ। , ପଶାସିଂ ଫରେଷ୍ଟଗାର୍ଡ ସବିତା ବେହେରା, ହାତୀ ସ୍କ୍ବାଡ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ରାସୋଳ ଥାନାଧିକାରୀ ବିଜୟ କୁମାର ହାଇବ୍ରୁ ମୃତଦେହ ଜବତ କରିଥିଲେ। ହିନ୍ଦୋଳ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି। ନିୟମ ଅନୁଯାୟୀ ଲକ୍ଷ୍ମୀଧରଙ୍କ ପରିବାରକୁ ସମସ୍ତ ସରକାରୀ ସହାୟତା ମିଳିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଲକ୍ଷ୍ମୀଧର ଗାଁ ଗାଁ ବୁଲି ଖେଳଣା ବିକ୍ରି କରୁଥିଲେ। ତାଙ୍କର ଦୁଇପୁଅ ମଧ୍ୟରୁ ଜଣଙ୍କର କିଡ୍‌ନୀ ରୋଗରେ ଦେହାନ୍ତ ହୋଇଯାଇଥିବାବେଳେ ଅନ୍ୟ ଜଣେ ବେଙ୍ଗାଲୁରୁରେ ରହୁଛନ୍ତି। ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।