ଘର ଜଳିଯିବା ଦେଖି ବୃଦ୍ଧାଙ୍କ ମୃତ୍ୟୁ

ସାରସକଣା,୧୩।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ପଞ୍ଚାୟତ ଅନ୍ତର୍ଗତ ଧେଣ୍ଡଗାଁ ଗ୍ରାମର ବାସନ୍ତୀ ପାତ୍ରଙ୍କ ଘରେ ସୋମବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ବଖରା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଘରେ ଥିବା ଆସବାବପତ୍ର ସହ ଧାନ, ଚାଉଳ, ଘରର କାଗଜପତ୍ର, ସୁନା ଅଳଙ୍କାର, ବ୍ୟାଙ୍କ ପାସବୁକ୍‌ ସହ ସାର୍ଟିଫିକେଟ ମଧ୍ୟ ପୋଡି ପାଉଁଶ ହୋଇଯାଇଛି। ସୂଚନାଯୋଗ୍ୟ, ସୋମବାର ରାତିରେ ବାସନ୍ତୀ ପାତ୍ର , ଝିଅ ସ୍ନେହଲତା ପାତ୍ର ଓ ନାତୁଣୀ ଶର୍ମିଷ୍ଠା ପାତ୍ର ଅନ୍ୟ ଏକ ଘରେ ଶୋଇଥିବା ବେଳେ ଚାଳ ଘରଟି ଜଳି ଯାଉଥିବାର ଦେଖି ବାହାରକୁ ଆସିଥିଲେ। ଏହାକୁ ଦେଖି ପଡୋଶୀ ସାରସକଣା ଅଗ୍ନିଶମ ବିଭାଗକୁ ଖବର ଦେବା ସହିତ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ଅଗ୍ନିଶମ ଗାଡି ପହଞ୍ଚିଲା ବେଳକୁ ଘରଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା। ଅଗ୍ନିକାଣ୍ଡରେ ଘର ପୋଡିଯିବା ପରେ ଆଈ ବାସନ୍ତୀ ପାତ୍ରଙ୍କ ମୃତ୍ୟୁ ହୋଇଛି । ଗୋଟିଏ ପଟେ ଅଗ୍ନିକାଣ୍ଡରେ ଘର ପୋଡିଯିବା ଅନ୍ୟପଟେ ବାସନ୍ତୀଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତେବେ ଏହି ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡି ନ ଥିବା ବେଳେ ତହସିଲ ପକ୍ଷରୁ ଏକ ପଲିଥିନ ଦିଆଯାଇଛି। ବର୍ତ୍ତମାନ ସ୍ନେହଲତା ଓ ଶର୍ମିଷ୍ଠା ବେସାହାରା ହୋଇଯାଇଥିବା ବେଳେ ନାତୁଣୀଙ୍କ ପାଠ ପଢା ଓ ରହିବା ପାଇଁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।