ଭତ୍ତା ପାଇଁ ବୃଦ୍ଧ ଦମ୍ପତି ଚାଲିଲେ ୭ କି.ମି.

କେସିଙ୍ଗା,୧୬।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଶିରୋଲ ଗ୍ରାମପଞ୍ଚାୟତ ପୋଢ଼ଖମ୍ବ ଗ୍ରାମର ନବ ଛତ୍ରିଆ (୭୦), ଫୁଲମତି ଛତ୍ରିଆ (୬୮) ବୃଦ୍ଧ ଦମ୍ପତି ସୋମବାର ଜିଲାପାଳଙ୍କ ଅଭିଯୋଗ ଶିବିରକୁ ଅଭିଯୋଗ କରିବା ପାଇଁ ବ୍ଲକ କାର୍ଯ୍ୟାଳୟ ଆସିଥିଲେ। ବାର୍ଦ୍ଧକ୍ୟ ଭତ୍ତା ପାଇ ନ ଥିବାରୁ ଦୁହେଁ ଜିଲାପାଳଙ୍କୁ ଅଭିଯୋଗ କରିବା ପାଇଁ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ। ପ୍ରଚଣ୍ଡ ଖରାରେ ଉଭୟେ ବ୍ଲକ କାର୍ଯ୍ୟାଳୟକୁ ପ୍ରାୟ ୭ କି.ମି. ଚାଲି ଆସିଥିଲେ। ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି ତାଙ୍କ ଦୁଃଖ ଦେଖି ଦୁଃଖ ପ୍ରକାଶ କରିଥିଲେ। ଶିରୋଲ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଜିନ୍ଦ୍ର ସାହାଙ୍କୁ ଡାକି ଘରକୁ ଯାଇ ଭତ୍ତା ଦେବା ପାଇଁ କହିଥିଲେ। ଭୋକ ଉପାସରେ ସ୍ବାମୀ ସ୍ତ୍ରୀ ଟାଣ ଖରାରେ ଆସିଥିବାରୁ ଦୁହିଁଙ୍କୁ ଚା, ପାଣି ପିଆଇ ଏକ ଅଟୋରେ ପୋଢ଼ଖମ୍ବ ଗ୍ରାମକୁ ପଠାଇ ଦେଇଥିଲେ। ଶିରୋଲ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଓ ଅବହେଳା ଏବଂ ଲୋକଙ୍କ ସେବା ଠିକ ଭାବେ କରୁ ନ ଥିବାରୁ ଯୋଗୁ ବ୍ଲକ ଅଧ୍ୟକ୍ଷ ଅସନ୍ତୋଷ ପ୍ରକାଶ କରି ଅତିଶୀଘ୍ର ଘରକୁ ଯାଇ ଭତ୍ତା ତୁରନ୍ତ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ବାହୀଙ୍କୁ ତାଗିତ କରିଥିଲେ। ଏ ସଂକ୍ରାନ୍ତରେ ଶିରୋଲ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗଜିନ୍ଦ୍ର ସାହାଙ୍କୁ ପଚାରିବାରୁ ବ୍ୟାଙ୍କ ଆକାଉଣ୍ଟରେ ଆଧାର ସଂଯୋଗ ହୋଇ ନ ଥିବାରୁ ଏହି ଅସୁବିଧା ହେଉଛି ବୋଲି ପ୍ରକାଶ କରିଥିଲେ।