ଫେବୃଆରୀ ୬ରୁ ଓଳାଶୁଣୀ ଗୁମ୍ଫା ମେଳା

ଚଣ୍ଡିଖୋଲ,୧୦।୧(ପ୍ରଦୀପ୍ତ କୁମାର ପୃଷ୍ଟି): ଓଡ଼ିଶା ପ୍ରସିଦ୍ଧ ଓଳାଶୁଣୀ ଗୁମ୍ଫା ମେଳା ଆସନ୍ତା ଫେବୃଆରୀ ୬ରୁ ଆରମ୍ଭ ହେବ। ମହାପୁରୁଷ ସନ୍ଥ ଅରକ୍ଷିତ ଦାସଙ୍କ ବ୍ରହ୍ମଲୀନ ଦିବସ ମାଘ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିରେ ପଡୁଥିବାରୁ ପରମ୍ପରା ଅନୁଯାୟୀ ସେଦିନଠାରୁ ଓଳାଶୁଣୀ ଗୁମ୍ଫା ମେଳା ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଓଳାଶୁଣୀ ପାହାଡ଼ର ଶୀର୍ଷ ଦେଶରେ ଥିବା ମହାପୁରୁଷଙ୍କ ସମାଧି ମନ୍ଦିର ନିକଟରେ ମଠର ମଠାଧୀଶ ମହନ୍ତ ଡ. ନାମାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଆରମ୍ଭ ହୋଇଥିଲା। ଓଳାଶୁଣୀ ଗୁମ୍ଫା ଉନ୍ନୟନ ପରିଷଦ ପକ୍ଷରୁ ପ୍ରଥମେ ଦିବଙ୍ଗତ ମହନ୍ତ ପର୍ଶୁରାମ ଦାସଙ୍କ ୨୬ ତମ ଶ୍ରାଦ୍ଧ ଉତ୍ସବ ପାଳନ କରିବା ସହିତ କିପରି ଶାନ୍ତିଶୃଙ୍ଖଳାର ସହ ମେଳା ପରିଚାଳନା କରାଯିବ ସେଥିନେଇ କମିଟିର କର୍ମକର୍ତ୍ତା ମତ ଦେଇଥିଲେ। ଫେବୃଆରୀ ୬ରୁ ମେଳା ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଏ ନେଇ ଯାଜପୁର ଜିଲା ପ୍ରଶାସନକୁ ଉନ୍ନୟନ ପରିଷଦ ପକ୍ଷରୁ ପତ୍ର ପ୍ରଦାନ କରାଯିବ। ଲକ୍ଷାଧିକ ଲୋକଙ୍କ ସମାବେଶ ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ କିପରି ସାହାଯ୍ୟ ସହଯୋଗ ମିଳିବ ଏ ନେଇ ଜିଲା ପ୍ରଶାସନ ସହିତ ଆଲୋଚନା କରାଯିବ। ଯେଉଁ ଭକ୍ତମାନେ ସେବା କାର୍ଯ୍ୟ କରିବାକୁ ପ୍ରତ୍ୟେକ ବର୍ଷ ଆସନ୍ତି ସେମାନେ ଦୀର୍ଘ ୧୦ ଦିନ ରହି ସେବା କାର୍ଯ୍ୟ କରିବାକୁ ମହନ୍ତ ସମସ୍ତଙ୍କୁ ଅନୁରୋଧ କରିଥିଲେ।
ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ପଲେଇ ପଞ୍ଚାୟତରେ ଅବସ୍ଥିତ ଏହି ପାହାଡ଼ ଏକ ବୃହତ୍‌ ପର୍ଯ୍ୟଟନ କ୍ଷେତ୍ର ରେ ପରିଣତ ହୋଇଛି। ମେଳାରେ ଦୈନିକ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥାଏ। ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଥିଲା। ଓଳାଶୁଣୀ ଗୁମ୍ଫା ଉନ୍ନୟନ ପରିଷଦ ପକ୍ଷରୁ ଦିଲୀପ କୁମାର ସାମଲ, ଶରତ କୁମାର ସିଂହ, ରତିକାନ୍ତ ସାମଲ, ଉମେଶ ଚନ୍ଦ୍ର ସାମଲ, ଅଶୋକ କୁମାର ସାମଲ, ଶ୍ୟାମ ସୁନ୍ଦର ମହାରଣା, ଶରତ ଚନ୍ଦ୍ର ସାମଲ, ବାଜ କିଶୋର ମହାରଣା ଅନିଲ କୁମାର ଭୂୟାଁ, ହେମନ୍ତ କୁମାର ସାମଲ, କାଙ୍ଗାଳି ସିଂହ, ପ୍ରଫୁଲ୍ଲ କୁମାର ନାୟକ, ରୁଦ୍ର ପ୍ରସନ୍ନ ସାମଲ, ରମାକାନ୍ତ ବାବା, ବିକ୍ରମ କେଶରୀ ପ୍ରଧାନ, ନରେନ୍ଦ୍ର ସାମଲ ଓ ପ୍ରଫୁଲ୍ଲ କୁମାର ପଣ୍ଡା ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।