Categories: ଫୁରସତ

ଓକେ, ଓକେ କେବେଠୁ

ଦୁଇଟି ଲେଟର୍‌ ଥିବା ଏକ ଛୋଟିଆ ଶବ୍ଦ ହେଉଛି ‘ଓକେ’। ହେଲେ ଏହାର ବହୁଳ ବ୍ୟବହାର ହୁଏ ଆମ ଦୈନନ୍ଦିନ ଜୀବନରେ। ଦେଶ, ବିଦେଶ ସବୁଠି ହୁଏ ଏହି ଶବ୍ଦର ବ୍ୟବହାର। ଭାଷାଗତ ଭିନ୍ନତା ଥିଲେ ବି ଓକେ ଶବ୍ଦ ମନର ଭାବକୁ ବେଶ୍‌ ପରିପ୍ରକାଶ କରିପାରେ। ହେଲେ ଜାଣନ୍ତି କି ଏହି ଶବ୍ଦର ବ୍ୟବହାର କେବେଠୁ ଓ କେଉଁଠୁ ଆରମ୍ଭ ହୋଇଛି?
ଏହି ଶବ୍ଦ ସ୍କଟଲାଣ୍ଡର och aye(ଯାହାର ଅର୍ଥ ଓଃ ୟେସ୍‌), ଗ୍ରୀକ୍‌ ଶବ୍ଦ ଓଲା କାଲା( ଯାହାର ଅର୍ଥ ଇଟ୍‌ ଇଜ ଗୁଡ) ଅବା ଚୋକତାଓ ଭାଷାର okeh (ଇଟ୍‌ ଇଜ୍‌ ସୋ) ଶବ୍ଦ ରୁ ଉଦ୍ଧୃତ। ଏହାବାଦ୍‌ ଦାବି କରାଯାଏ ଯେ, ୧୮୩୯ରେ ଏକ ଭୁଲ୍‌ ସ୍ପେଲିଂରୁ ଏହି ଶବ୍ଦ ଆସିଛି। ପତ୍ରକାର ଚାର୍ଲସ୍‌ ଗାର୍ଡୋନ ଗ୍ରୀନଙ୍କ ଅଫିସ୍‌ ‘ବୋଷ୍ଟନ ମର୍ଣ୍ଣିଂ ପୋଷ୍ଟ’ରେ all correct କୁ oll korrect ଲେଖାଯାଇଥିଲା। ଏହାପର ଠାରୁ ହିଁ ଓକେ ଶବ୍ଦର ବ୍ୟବହାର ହୋଇଥିବା ଅନୁମାନ କରାଯାଏ। ଏହାମଧ୍ୟ ଦାବି କରାଯାଏ ଯେ, ୧୮୪୦ରେ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ସମୟରେ ରାଷ୍ଟ୍ରପତି ପ୍ରାର୍ଥୀ ମାର୍ଟିନ ଭାନ ବୁରେନ୍‌ ‘ଓକେ’ ଶବ୍ଦର ବ୍ୟବହାର କରିଥିଲେ। ଯାହାର ଫୁଲଫର୍ମ ଥିଲା ‘ଓଲ୍ଡ କିଣ୍ଡରହୁକ୍‌’। ମାର୍ଟିନ ଭାନ ନ୍ୟୁୟର୍କ, ଓଲ୍ଡ କିଣ୍ଡରହୁକ୍‌ର ନିବାସୀ ଥିଲେ। ଆଉ ସେ ନିଜର ନିକ୍‌ନେମ୍‌ ‘ଓଲ୍ଡ କିଣ୍ଡରହୁକ୍‌’ ରଖିଥିଲେ। ଇଲେକ୍ସନ କ୍ୟାମ୍ପେନ୍‌ରେ ସେ ‘ଭୋଟ୍‌ ଫର୍‌ ଓକେ’ ବ୍ୟବହାର କରିବା ସହ ନିଜ ଗ୍ରୁପ୍‌ର ନାଁ ‘ଓକେ କ୍ଲବ୍‌’ ରଖିଥିଲେ। ଫଳରେ ସେ ସମୟରେ ‘ଓକେ’ ଶବ୍ଦର ବହୁଳ ପ୍ରଚାର ହୋଇଥିଲା। ଅନ୍ୟପକ୍ଷେ ଲୋକଗୀତ ଗାୟକ ପିଟ ସିଗର୍‌ କୁହନ୍ତି ଦକ୍ଷିଣପୂର୍ବ ଆମେରିକାରେ ଚୋକତାଓ ଜନଜାତିର ଲୋକ ବ୍ୟବହାର କରୁଥିବା ଶବ୍ଦ okeh (ଇଟ୍‌ ଇଜ୍‌ ସୋ)ରୁ ଓକେ ଶବ୍ଦ ଉଦ୍ଧୃତ। ଯାହାକି ପରବର୍ତ୍ତୀ ସମୟରେ ପ୍ରସାର ହୋଇଥିଲା। ଆଉ କେହି କେହି କୁହନ୍ତି ‘ଓବାଦିଆହ କେଲି’ ନାମକ ଜଣେ ରେଲରୋଡ ଓ୍ବାର୍କର ବହୁ ବର୍ଷ ପୂର୍ବେ ଏହି ଶବ୍ଦର ଆବିଷ୍କାର କରିଥିଲେ। ସେ ତାଙ୍କ ନାମର ପ୍ରଥମ ଦୁଇ ଲେଟର୍‌୍‌ ‘ଓ’ ଏବଂ ‘କେ’ କୁ ସେହି ସବୁ ଜିନିଷ ଉପରେ ଲେଖୁଥିଲେ ଯାହାକୁ ଟ୍ରେନ୍‌ରେ ପଠାଇବା ଲାଗି ଲୋକେ ତାଙ୍କୁ ଦେଉଥିଲେ। ଏମିତି ଅନେକ ଦାବି କରାଯାଏ ଓକେ ଶବ୍ଦର ଆବିଷ୍କାରକୁ ନେଇ। ଆଉ ଏହାର ଉତ୍ପତିକୁ ନେଇ ସବୁବେଳେ ବିବାଦ ଲାଗି ରହିଛି।

Share