ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୨୯।୯: ବୁଧବାର ପ୍ରକାଶ ପାଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା(ଓଜେଇଇ) ରେଜଲ୍ଟ । ପରୀକ୍ଷାରେ ୪୯ ହଜାର ୨୭୯ ଜଣ ଛାତ୍ରୀଛାତ୍ର କୃତକାର୍ଯ୍ୟ ହୋଇ ନାମଲେଖା ପାଇ ର଼୍ୟାଙ୍କ ପାଇଛନ୍ତି। ଛାତ୍ରୀଛାତ୍ର ୱେବସାଇଟ www.ojee.nic.in ଓ www.odishajee.comରୁ ନିଜ ର଼୍ୟାଙ୍କ ଜାଣିପାରିବେ।

ବି. ଫାର୍ମରେ ଲକ୍ଷ୍ମୀପ୍ରିୟା ସେନାପତି, ଏଲ୍‌ଇ.ଟେକ (ଡିପ୍ଲୋମା)ରେ ପିଙ୍କିରାଣୀ ସାହୁ, ଏଲଇ.ଟେକ (ବିଏସ୍‌ସି)ରେ ଦୀପକ ସା, ଏଲ୍‌ଇ.ଫାର୍ମାରେ ଗୁଣାକର ସାହୁ, ବି.ଟେକ (ସ୍ପେଶାଲ)ରେ ପିୟୁଷ ଚନ୍ଦୁକା, ଏମ୍‌ବିଏରେ ଆଶୁତୋଷ ରଥ, ଏମ୍‌ସିଏରେ ନିଶିକାନ୍ତ ପରିଡ଼ା, ଇଣ୍ଟିଗ୍ରେଟେଡ ଏମ୍‌ବିଏରେ ରୁଦ୍ର ପ୍ରସାଦ ରଥ, ଏମ୍‌.ଫାର୍ମାରେ କେ.ସଂଜନ ସୁବୁଦ୍ଧୁ, ଏମ୍‌ ଆର୍କିଟେକେରେ ପ୍ରଣବ ଚନ୍ଦ୍ର ବିନ୍ଧାଣୀ, ଏମ୍‌ପ୍ଲାନରେ ବିଶ୍ୱଜିତ ସ୍ବାଇଁ ଟପ୍ପର ହୋଇଛନ୍ତି।

ସେହିପରି ଏମ୍‌ଟେକର ୧୨ଟି ବିଷୟରେ ଟପ୍ପର ତାଲିକା ପ୍ରକାଶିତ ହୋଇଛି। ସିଭିଲରେ ସୌମ୍ୟା ସାହୁ, ଇଲେକ୍ଟ୍ରିକାଲରେ ସତ୍ୟବ୍ରତ ସାହୁ, ମେକାନିକାଲରେ ମଳୟ କୁମାର ଓଝା, କମ୍ପ୍ୟୁଟର ସାଇନ୍ସରେ ସୌମ୍ୟ ସଂକେତ ପାତ୍ର, ଇଲେକଟ୍ରୋନିକ ଆଣ୍ଡ କମ୍ୟୁନିକେଶନରେ ଦୀପକ କୁମାର ପୃଷ୍ଟି, କ୍ୟାମିକାଲ ଇଞ୍ଜିନିୟରିଂରେ ସମ୍ବିତ ନାୟକ, ମେଟାଲୋଜିକାଲରେ ସମ୍ବିତ କୁମାର ସାହୁ, ଏନ୍‌ଭରମେଣ୍ଟାଲରେ ଅମିତ କର, ବାଓଟେକ୍ନୋଲୋଜୀରେ ସୁସ୍ମିତା ପତି, ପ୍ଲାଷ୍ଟିକରେ ସାଇସ୍ବପ୍ନ ରାଉତରାୟ ଓ ଟେକ୍ସଟାଇଲରେ ଅଜିତ କୁମାର ସାହୁ ଟପ୍ପର ହୋଇଥିବା ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, କମ୍ପ୍ୟୁଟର୍‌ ବେସ ଟେଷ୍ଟ (ସିବିଟି) ମାଧ୍ୟମରେ ଚଳିତ ମାସ ୬ରୁ ୧୮ ତାରିଖ ମଧ୍ୟରେ ଜେଇଇଇ ପରୀକ୍ଷା ହୋଇଥିଲା। ମୋଟ ୧୨ଟି ବିଷୟରେ ୬୫ ହଜାର ୭୬୩ ଜଣ ଛାତ୍ରୀଛାତ୍ର ନାମ ପଞ୍ଜୀକରଣ କରିଥିବା ବେଳେ ସେଥିରୁ ୪୯ ହଜାର ୩୬୦ ଜଣ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ। ରାଜ୍ୟର ୩୦ଟି ସହରରେ ୫୭ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା।