ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ

ଭୁବନେଶ୍ୱର,୨ା୬(ବ୍ୟୁରୋ): ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇଛି ଚଳିତବର୍ଷର ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ଫଳ। ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ବିଭାଗୀୟ ସଚିବ ଉଷା ପାଢ଼ୀଙ୍କ ସମେତ ଓଜେଇଇର ଅଧିକାରୀମାନେ ଉପସ୍ଥିତ ଥିଲେ। ଛାତ୍ରୀଛାତ୍ର ଓଜେଇଇ ଓ୍ବେବ୍‌ସାଇଟ୍‌ www.ojee.nic.inରୁ ରେଜଲ୍ଟ ଦେଖିପାରିବେ।

ବି-ଫାର୍ମାରେ ସୌରଭ କୁମାର ପତି ଟପ୍ପର ହୋଇଥିବା ବେଳେ ଏମ୍‌ବିଏରେ ସତ୍ୟଜିତ ସାହୁ, ଏମ୍‌ସିଏରେ ଅପୂର୍ବ ନାୟକ, କେମିକାଲ ଇଞ୍ଜିନିୟରିଂରେ ସଂଗ୍ରାମ ପାତ୍ର, ସିଭିଲ ଇଂଜିନିୟରିଂରେ ସୁବାସ ପୃଷ୍ଟି, ବାୟୋଟେକ୍ନୋଲୋଜିରେ ରାହୁଲ ନାୟକ, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା, ଏମ୍‌ଫାର୍ମାରେ ରଶ୍ମୀରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି। ଚଳିତଥର ୪୮,୮୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ମୋଟ୍‌ ୪୮, ୭୮୩ ଜଣ ରାଙ୍କ ପାଇଛନ୍ତି। ଏମାନେ ୧୨ଟି ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇପାରିବେ।

ସୂଚନାଯୋଗ୍ୟ, ରାଜ୍ୟରେ ଥିବା ସରକାରୀ ଓ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନର ଏମ୍‌ବିଏ, ଏମ୍‌ସିଏ, ଏମ୍‌ଏସ୍‌ସି, ଏମ୍‌ଟେକ, ଏମ୍‌.ପ୍ଲାନ୍‌, ଲାଟେରାଲ ଏଣ୍ଟ୍ରି ବିଏମ୍‌ବିଏ, ଲାଟେରାଲ ଏଣ୍ଟ୍ରି ବିଏସ୍‌ସି ଭଳି ୧୧ଟି ପାଠ୍ୟକ୍ରମରେ ନାମଲେଖା ଲାଗି ମେ ୮ରୁ ୧୫ତାରିଖ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସମସ୍ତ ୩୦ ଜିଲା ଏବଂ ରାଜ୍ୟ ବାହାରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ବିହାରରେ ୩ଟିକୁ ମିଶାଇ ମୋଟ ୪୭ଟି ପରୀକ୍ଷା କେନ୍ଦ୍ର ହୋଇଥିଲା। ମୋଟ ୫୫ ହଜାର ୯୭୯ ଛାତ୍ରୀଛାତ୍ର ଓଜେଇଇ ପରୀକ୍ଷା ଦେବା ପାଇଁ ନାମ ପଞ୍ଜୀକରଣ କରିଥିଲେ। ଲାଟେରାଲ ଏଣ୍ଟ୍ରି ଡିପ୍ଲୋମାରେ ସର୍ବାଧିକ ଛାତ୍ରୀଛାତ୍ର ୧୭ ହଜାର ୭୬୩, ବି ଫାର୍ମାରେ ୧୩ ହଜାର ୮୧୩, ଏମ୍‌ବିଏରେ ୯,୩୦୫, ଏମ୍‌ସିଏ ଓ ଏମଏସ୍‌ସି କମ୍ପ୍ୟୁଟର ସାଇନ୍ସରେ ୮ହଜାର ୮୪୧ ଛାତ୍ରୀଛାତ୍ର ପ୍ରବେଶିକା ପରୀକ୍ଷା ଦେଇଥିଲେ।