ପାଇପ୍‌ଲାଇନ କାଟି ତେଲ ଚୋରି ଘଟଣାର ପର୍ଦ୍ଦାଫାଶ

ସମ୍ବଲପୁର,୨୭ା୨(ବ୍ୟୁରୋ):ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ହାତିବାରୀଠାରେ ପାରାଦୀପ-ରାୟପୁର ପାଇପ୍‌ଲାଇନ କାଟି ତେଲ ଚୋରି ଘଟଣାର ପୋଲିସ ପର୍ଦ୍ଦାଫାଶ କରିଛି। ଘଟଣାରେ ସମ୍ପୃକ୍ତ କଳାହାଣ୍ଡି ଜିଲା ଏମ୍‌ ରାମପୁରସ୍ଥିତ ପେଟ୍ରୋଲପମ୍ପ୍‌ ମାଲିକ ଅଟଳ ବିହାରୀ ସାହୁଙ୍କୁ ଚୋରି ତେଲ କିଣିବା ଅଭିଯୋଗରେ ଗିରଫ କରାଯାଇଛି। ଏହାସହ ଚୋରି ଅଭିଯୋଗରେ ଅବଦୁଲ ଅମିନ, ମହମ୍ମଦ ସୁଲତାନ, ଶେଖ ଅଜମଦ, କିଶୋର ସିଂ, ଚନ୍ଦ୍ରଶେଖର ଚାନ୍ଦ ଓ ସୁନୀଲ ପଣ୍ଡାଙ୍କୁ ଗିରଫ କରାଯାଇଛି। ଘଟଣାରେ ବ୍ୟବହୃତ ଟ୍ୟାଙ୍କର (ଓଡି-୦୫ୟୁ-୦୫୫୩), କାର୍‌ (ଓଡି୦୮କ୍ୟୁ-୯୦୪୧) ସହ ପାଇପ୍‌ ମଧ୍ୟ ଜବତ ହୋଇଛି। ଏ ନେଇ ଥାନାରେ ଏକ ମାମଲା (ନଂ.୧୬/୨୩) ରୁଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।
ଏସ୍‌ପି ବାତୁଲା ଗଙ୍ଗାଧର କହିଛନ୍ତି, ଜାନୁୟାରୀ ୨୭ ତାରିଖରେ ପ୍ରଥମେ ତେଲ ଚୋରି ହୋଇଥିଲା। ହେଲେ କମ୍ପାନୀ ପକ୍ଷରୁ ଲିଖିତ ଅଭିଯୋଗ କରା ନ ଯାଇ କେବଳ ସୂଚନା ଦିଆଯାଇଥିଲା। ପୋଲିସ ସୂଚନା ପାଇବା ପରେ ଉକ୍ତ ଅଞ୍ଚଳରେ ନଜର ରଖିଥିଲା। ଅଭିଯୁକ୍ତମାନେ ପୁଣି ଫେବୃୟାରୀ ୧୦ ତାରିଖରେ ସମାନ ସ୍ଥାନରୁ ତେଲ ଚୋରି କରି ନେଇଥିଲେ। ଏହାକୁ ନେଇ କମ୍ପାନୀ ଅଧିକାରୀ ନରେନ୍ଦ୍ର ବେହେରା ଅଭିଯୋଗ କରିଥିଲେ। ପ୍ରାୟ ୨୬ ଲକ୍ଷ ଟଙ୍କାର ଡିଜେଲ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା। ରେଢ଼ାଖୋଲ ଏସ୍‌ଡିପିଓ ପ୍ରଶାନ୍ତ ମେହେରଙ୍କ ନେତୃତ୍ୱରେ ଥାନା ଅଧିକାରୀ ରାଜକୁମାର ବିଶ୍ୱାଳଙ୍କୁ ନେଇ ଟିମ୍‌ ଗଠନ କରାଯାଇଥିଲା। ପୋଲିସ ସାଇବର ଟିମ୍‌ର ସହାୟତା ନେଇ ସୁରାକ ପାଇଥିଲା। ବିଭିନ୍ନ ସ୍ଥାନରେ ଚଢାଉ କରି ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ। ଅନ୍ୟପଟେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ ପାଇପ୍‌ଲାଇନ କାଟିବା ପାଇଁ ସ୍ବତନ୍ତ୍ର ଟେକ୍‌ନିସିଆନ ଉତ୍ତରପ୍ରଦେଶରୁ ଆସିଥିଲେ। ତେଲ ଯାଉଥିବା ସମୟରେ ପାଇପ୍‌ କାଟି ଭାଲ୍‌ବ ଲଗାଇ ଦେଉଥିଲେ। ସମୟର ସୁଯୋଗ ନେଇ ଉକ୍ତ ଭାଲ୍‌ବ ଖୋଲି ଟାଙ୍କିରେ ତେଲ ଲୋଡ୍‌ କରୁଥିଲେ। ଗୋଟିଏ ଟ୍ୟାଙ୍କର ଲୋଡ୍‌ କରିବାକୁ ୧୫ ମିନିଟ ସମୟ ଲାଗୁଥିଲା। ଟ୍ୟାଙ୍କର ଲୋଡ୍‌ହେବା ପରେ ସେମାନେ ସଙ୍ଗେ ସଙ୍ଗେ ଫେରାର ହୋଇଯାଉଥିଲେ। ଚୋରି ତେଲ ବିକ୍ରି କରିବା ପାଇଁ ଆଉ ଏକ ସ୍ବତନ୍ତ୍ର ଟିମ୍‌ ରହିଛନ୍ତି। ସେମାନେ ଲିଟର ପିଛା କମିଶନ ପାଇ କାମ କରନ୍ତି ବୋଲି ଏସ୍‌ପି ଗଙ୍ଗାଧର କହିଥିଲେ।