ଜାହାଜ ଅଟକି ସୁଏଜ କେନାଲ ଅବରୋଧ

ପ୍ୟାରିସ,୧।୯ : ଭୂମଧ୍ୟସାଗରକୁ ଲୋହିତ ସାଗର ସହ ସଂଯୋଗ କରୁଥିବା ସୁଏଜ୍‌ କେନାଲରେ ବୁଧବାର ରାତିରେ ଏକ ବଡ଼ ତୈଳବାହୀ ଜାହାଜ ଅଟକିଯିବାରୁ କିଛି ଘଣ୍ଟା ପାଇଁ ଉକ୍ତ କେନାଲ ଅବରୋଧ ହୋଇଯାଇଥିଲା। ୨୫୨ ମିଟର ଲମ୍ବା ଓ ୪୫ ମିଟର ପ୍ରସ୍ଥବିଶିଷ୍ଟ ଆଫିନିଟି-ଭି ନାମକ ଏହି ଜାହାଜ ସିଙ୍ଗଲ୍‌ ଲେନ୍‌ ରୁଟ୍‌ରେ ଅଟକି ଯିବାରୁ ଅନ୍ୟ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଜାହାଜର ରୁଡର କାମ କରି ନ ଥିଲା। ଜାହାଜକୁ ହଟାଇବା ପାଇଁ ୫ଟି ଟଗ୍‌ ବୋଟ୍‌କୁ ନିୟୋଜିତ କରାଯାଇଥିଲା। ୫ଘଣ୍ଟା ପରେ ଆଫିନିଟି-ଭି ଗତିଶୀଳ ହେବାରୁ କେନାଲ ଅବରୋଧମୁକ୍ତ ହୋଇଥିଲା ବୋଲି ସୁଏଜ୍‌ କର୍ତ୍ତୃପକ୍ଷ କହିଛନ୍ତି। ପର୍ତ୍ତୁଗାଲରୁ ସାଉଦି ଆରବର ୟାନ୍‌ବୁ ସ୍ଥିତ ରେଡ-ସି ବନ୍ଦରକୁ ଯାଉଥିବା ଉକ୍ତ ଜାହାଜରେ ୧,୧୦,୦୦୦ ଟନ୍‌ରୁ ଅଧିକ ତେଲ ରହିଥିଲା। ସୂଚନାଯୋଗ୍ୟ ଗତବର୍ଷ ମାର୍ଚ୍ଚରେ ଉକ୍ତ ଶିପିଙ୍ଗ୍‌ ଲେନ୍‌ରେ ୪୦୦ ମିଟର ଲମ୍ବ ବିଶିଷ୍ଟ ଏଭର ଗ୍ରୀନ୍‌ ନାମକ ଜାହାଜ ଅଟକିଯିବାରୁ କେନାଲ ୬ ଦିନ ପର୍ଯ୍ୟନ୍ତ ଅବରୋଧ ହୋଇ ରହିଥିଲା। ଟ୍ରାଫିକ ଜାମ୍‌ ଫଳରେ ଦିନକୁ ୯ ବିଲିୟନ ଡଲାର ବାଣିଜି୍ୟକ କ୍ଷତି ହୋଇଥିଲା। ୧୪ ଟଗ୍‌ ବୋଟ୍‌ ଏବଂ ଆର୍ଥମୁଭିଂ ଯନ୍ତ୍ର ସାହାଯ୍ୟରେ ଉକ୍ତ ଜାହାଜକୁ ହଟାଯାଇଥିଲା।

Share