ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ବଢୁଛି ତୈଳ ଦର

ନ୍ୟୁୟର୍କ,୬ା୫: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଦୁଇ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଲାଗିରହିଛି। ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଯୋଗୁ ଖାଦ୍ୟ ଏବଂ ଶକ୍ତିର ଅଭାବ ପରିଲକ୍ଷିତ ହେଉଛି। ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନସି)ରେ ଉଦୀୟମାନ ଖାଦ୍ୟ ଏବଂ ଶକ୍ତି ସମସ୍ୟା ଉପରେ ଭାରତ ଆଲୋକପାତ କରିଛି।

ମିଳିତ ଜାତିସଂଘର ଭାରତର ସ୍ଥାୟୀ ପ୍ରତିନିଧି ଟି.ଏସ୍‌ ତ୍ରିମୂର୍ତ୍ତୀ କହିଛନ୍ତି, ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରଭାବ ସହିତ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଅସ୍ଥିରତା ସୃଷ୍ଟି କରୁଛି। ସେ କହିଛନ୍ତି, ତୈଳ ଦର ଆକାଶଛୁଆଁ ହେଉଛି, ଖାଦ୍ୟ ଶସ୍ୟ ଏବଂ ସାରର ଅଭାବ ଦେଖାଦେଉଛି। ବିଶ୍ୱର ଦକ୍ଷିଣ ଏବଂ ବିକାଶଶୀଳ ଦେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିଛି।

ସେ ଆହୁରି ମଧ୍ୟ କହିଛନ୍ତି, ଆମକୁ ସମସ୍ତ ଅସୁବିଧାକୁ ଅତିକ୍ରମ କରିବାକୁ ପଡ଼ିବ ଏବଂ ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ଖାଦ୍ୟ ନିରାପତ୍ତା ଆହ୍ବାନର ଜବାବ ଦେବାକୁ ପଡ଼ିବ। ଶକ୍ତି ସୁରକ୍ଷା ସମସ୍ତଙ୍କ ପାଇଁ ଏକ ଗମ୍ଭୀର ଚିନ୍ତା ଏବଂ ସମସ୍ତଙ୍କ ଉଦ୍ୟମ ଦ୍ୱାରା ଏହାର ସମାଧାନ ହେବା ଆବଶ୍ୟକ। ଯୁଦ୍ଧ ଶେଷ କରିବା, ଆଲୋଚନା ଏବଂ କୂଟନୈତିକ ପଥକୁ ଏକମାତ୍ର ପଥ ଭାବରେ ଗ୍ରହଣ କରିବା ପାଇଁ ତ୍ରିମୂର୍ତ୍ତି ଭାରତର ନିରନ୍ତର ଆହ୍ବାନକୁ ଦୋହରାଇଛନ୍ତି।

Share