Categories: ଜାତୀୟ

୫ଟଙ୍କା ବଢ଼ିଲାଣି ତେଲ ଦର

ନୂଆଦିଲ୍ଲୀ,୩୦ା୩: ଗତ ୮ ଦିନ ମଧ୍ୟରେ ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୭ ଥର ବଢ଼ିଲାଣି। ପ୍ରମୁଖ ତୈଳ ବିପଣନ କମ୍ପାନୀ ଭାରତୀୟ ତୈଳ ନିଗମର ସୂଚନା ଅନୁସାରେ ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ୮୫ ପଇସା ଏବଂ ଡିଜେଲ ୭୪ ପଇସା ବୃଦ୍ଧି ପାଇଛି। ଏହି ଦର ବୃଦ୍ଧି ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୧୦୬.୯୩ ଟଙ୍କାରେ ବିକ୍ରି ହେଉଥିବା ବେଳେ ଡିଜେଲ ଲିଟର ପିଛା ୯୬.୭୨ ଟଙ୍କାରେ କାରବାର ହେଉଛି। ଏହି ସମୟ ମଧ୍ୟରେ ଓଡ଼ିଶାରେ ଉଭୟ ତେଲର ଦର ସପ୍ତାହକ ମଧ୍ୟରେ ୫ଟଙ୍କାରୁ ଊର୍ଦ୍ଧ୍ୱ ବଢ଼ିଲାଣି। ସୂଚନାଯୋଗ୍ୟ, ପେଟ୍ରୋଲ ଉପରେ ୫.୧୨ ଟଙ୍କା ଓ ଡିଜେଲରେ ୫.୧୦ ଟଙ୍କା ଗତ ୭ ଥର ଦର ବୃଦ୍ଧିରେ ବଢ଼ିଛି ବୋଲି ସୂଚନା ମିଳିଛି। ଅପରପକ୍ଷରେ ନୂଆଦିଲ୍ଲୀରେ ମଧ୍ୟ ପେଟ୍ରୋଲ ୮୦ ପଇସା ଓ ଡିଜେଲ ୭୦ ପଇସା ବଢ଼ିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୧୦୦.୨୧ ଟଙ୍କା ଏବଂ ଡିଜେଲ ଲିଟର ପିଛା ୯୧.୪୭ ଟଙ୍କାରେ ପହଞ୍ଚତ୍ଛି। ବିଶେଷକରି ପୁଣି ଥରେ ଦିଲ୍ଲୀରେ ପେଟ୍ରୋଲ ଦର ଶହେ ଟପିଯାଇଛି। ଉପରୋକ୍ତ ସମୟ ମଧ୍ୟରେ ନୂଆଦିଲ୍ଲୀରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଉପରେ ମୋଟ ୪.୮୦ ଟଙ୍କା ବୃଦ୍ଧି ଘଟିଛି। ସେହିଭଳି ଦେଶର ପ୍ରମୁଖ ମହାନଗର ମୁମ୍ବାଇ, କୋଲକାତା ଓ ଚେନ୍ନାଇ ଭଳି ସହରରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୧୧୫.୦୪ ଟଙ୍କା, ୧୦୯.୬୮ଟଙ୍କା ଏବଂ ୧୦୫.୯୪ ଟଙ୍କାରେ ବିକ୍ରି ହେଉଛି। ସେହିପରି ଉପରୋକ୍ତ ମହାନଗରଗୁଡ଼ିକରେ ଡିଜେଲ ଲିଟର ପିଛା ୯୯.୨୫ ଟଙ୍କା, ୯୪.୬୨ ଟଙ୍କା ଏବଂ ୯୬ ଟଙ୍କାରେ ପହଞ୍ଚିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ଅନ୍ତଃରାଷ୍ଟ୍ରୀୟ ବଜାରରେ ଅଶୋଧିତତୈଳ ମୂଲ୍ୟ ହ୍ରାସ ଘଟିଥିଲେ ସୁଦ୍ଧା ଭାରତ ବଜାରରେ ଏହାର କୌଣସି ପ୍ରଭାବ ବା ତେଲ ଦରର ପରିବର୍ତ୍ତନ କିମ୍ବା ସ୍ଥିର ରହିନାହିଁ। କାରଣ ଦୀର୍ଘଦିନର ସ୍ଥିରତା ଯୋଗୁ ତୈଳ କମ୍ପାନୀଗୁଡ଼ିକ ବ୍ୟାପକ କ୍ଷତି ସହିବା ସହ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ନିଜ ନିଜର ଟିକସ ହ୍ରାସ କିମ୍ବା ଛାଡ଼ କରୁ ନ ଥିବା ଯୋଗୁ ଦର ଉଚ୍ଚା ରହୁଛି ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।

Share