Categories: ଜାତୀୟ

ତେଲ ଦର ବୃଦ୍ଧି ଟିକସ ଡକାୟତି

ନୂଆଦିଲ୍ଲୀ,୨୫।୧୦: ତେଲ ଦର ପ୍ରତିଦିନ ନୂଆ ରେକର୍ଡ ଭାଙ୍ଗୁଛି। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ବୃଦ୍ଧି ଯୋଗୁ ପରିବହନଜନିତ ଖର୍ଚ୍ଚ ବଢ଼ୁଥିବାରୁ ଜରୁରୀ ସାମଗ୍ରୀଗୁଡ଼ିକର ଦରଦାମ ମଧ୍ୟ ଆକାଶଛୁଆଁ ହୋଇଛି। କଂଗ୍ରେସ ଏହାକୁ କେନ୍ଦ୍ର ସରକାରଙ୍କ ଟିକସ ଡକାୟତି ବୋଲି ଆଖ୍ୟା ଦେଇଛି।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ତେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ରାହୁଲ କହିଛନ୍ତି, କେନ୍ଦ୍ରର ଟିକସ ଡକାୟତି ଯୋଗୁ ପେଟ୍ରୋଲ ମୂଲ୍ୟରେ ବୃଦ୍ଧି ଘଟୁଛି। ନିର୍ବାଚନ ଆସିଲେ ଲୋକଙ୍କୁ ଆଶ୍ୱସ୍ତି ମିଳିପାରେ ବୋଲି ସେ କହିଛନ୍ତି। ସେହିପରି ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟୁଇଟ୍‌ରରେ ଏକ ମିଡିଆ ରିପୋର୍ଟକୁ ଟ୍ୟାଗ୍‌ କରି କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ଚଳିତ ବର୍ଷ ପେଟ୍ରୋଲ ଲିଟର ପିଛା ୨୩ ଟଙ୍କା ୫୩ ପଇସା ବୃଦ୍ଧି ପାଇଥିବା ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଏନେଇ ପ୍ରିୟଙ୍କା କହିଛନ୍ତି, ମୋଦି ସରକାର ଅମଳରେ ସର୍ବାଧିକ ବେକାରି ସମସ୍ୟା ସୃଷ୍ଟି ହୋଇଛି। ମୋଦିଙ୍କ ଶାସନରେ ସବୁଠୁ ବେଶି ସରକାରୀ ସମ୍ପତ୍ତି ବିକ୍ରି କରାଯାଇଛି। ମୋଦି ସରକାର ଲୋକଙ୍କୁ ଅସୁବିଧାରେ ପକାଇବାର ରେକର୍ଡ ସୃଷ୍ଟି କରିଛନ୍ତି। କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟଓ୍ବୋଲା ମଧ୍ୟ ପ୍ରିୟଙ୍କାଙ୍କ ମିଡିଆ ରିପୋର୍ଟକୁ ଟ୍ୟାଗ୍‌ କରି ‘ଅଚ୍ଛେ ଦିନ’ବୋଲି ଟୁଇଟ୍‌ କରିଛନ୍ତି।

Share