ଭାରତକୁ ବଡ଼ ସଫଳତା: ଆଣ୍ଡାମାନ ସମୁଦ୍ର ଗର୍ଭରୁ ମିଳିଲା ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର!

ନୂଆଦିଲ୍ଲୀ,୫।୬: ଭାରତର ଶକ୍ତି ସୁରକ୍ଷା ଏବଂ ଦେଶ ଭିତରେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀ ‘ଅଏଲ ଇଣ୍ଡିଆ ଲିମିଟେଡ’ (OIL) କୁ ଆଣ୍ଡାମାନ ସମୁଦ୍ରର ଗଭୀର ଜଳଭାଗରେ ପ୍ରାକୃତିକ ଗ୍ୟାସ (Natural Gas) ଆବିଷ୍କାର କରିବାରେ ଏକ ବଡ଼ ସଫଳତା ମିଳିଛି। କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ ସୋସିଆଲ ମିଡିଆ ମାଧ୍ୟମରେ ଏହି ସୂଚନା ଦେବା ସହ ଅଏଲ୍‌ ଇଣ୍ଡିଆର ସମଗ୍ର ଟିମକୁ ଏହି ଗୌରବମୟ ସଫଳତା ପାଇଁ ଅଭିନନ୍ଦନ ଜଣାଇଛନ୍ତି।
କେନ୍ଦ୍ର ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଣ୍ଡାମାନ ଦ୍ୱୀପପୁଞ୍ଜର ପୂର୍ବ ଉପକୂଳରୁ ପ୍ରାୟ ୧୫ କିଲୋମିଟର ଦୂରରେ, ସମୁଦ୍ର ମଧ୍ୟରେ ୩୫୫ ମିଟର ଗଭୀରତାରେ ଅବସ୍ଥିତ ‘ଶ୍ରୀ ବିଜୟପୁରମ-୩’ ନାମକ ଏକ ତୈଳ କୂପରୁ ଏହି ଗ୍ୟାସ ଭଣ୍ଡାର ମିଳିଛି। ଏଠାରେ ବହୁ ପରିମାଣରେ ହାଇଡ୍ରୋକାର୍ବନ ଗ୍ୟାସ ଥିବା ନେଇ ସ୍ପଷ୍ଟ ହୋଇଛି।
ଅଏଲ ଇଣ୍ଡିଆ କମ୍ପାନୀ ସମୁଦ୍ର ଶଯ୍ୟାରୁ ପ୍ରାୟ ୧୯୦୦ ମିଟରରୁ ଅଧିକ ଗଭୀରତା ପର୍ଯ୍ୟନ୍ତ ଖନନ କରି ପ୍ରାଥମିକ ପରୀକ୍ଷଣ ଶେଷ କରିଛି। ପରୀକ୍ଷଣ ସମୟରେ ଗ୍ୟାସକୁ କ୍ରମାଗତ ଭାବରେ ଜଳାଯାଇଥିଲା (Flaring), ଯାହା ଦ୍ୱାରା ସେଠାରେ ବିପୁଳ ଗ୍ୟାସର ଭଣ୍ଡାର ଥିବା ନିଶ୍ଚିତ ହୋଇଛି।
ବର୍ତ୍ତମାନ କମ୍ପାନୀ ଗ୍ୟାସର ସଠିକ ସଂରଚନା ଏବଂ ଏହାର ଶକ୍ତି କ୍ଷମତା ଜାଣିବା ପାଇଁ ନମୁନା ସଂଗ୍ରହ କରୁଛି। ଏହି ଗ୍ୟାସ କେଉଁଠାରୁ ଏବଂ କେମିତି ସୃଷ୍ଟି ହେଲା, ତାହା ଜାଣିବା ପାଇଁ ଏହାର ଆଇସୋଟୋପ ପରୀକ୍ଷା ମଧ୍ୟ କରାଯାଉଛି।
କେନ୍ଦ୍ର ମନ୍ତ୍ରୀ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସ୍ବାଧୀନତା ଦିବସ ୨୦୨୫ ଅବସରରେ ଘୋଷଣା କରାଯାଇଥିବା ‘ସମୁଦ୍ର ମନ୍ଥନ ମିଶନ’ ଅଧୀନରେ ଦେଶର ଅଫସୋର ବେସିନଗୁଡ଼ିକରେ ବହୁ ସଂଖ୍ୟାରେ ଡିପୱାଟର ଏବଂ ଅଲଟ୍ରା-ଡିପୱାଟର ଅନ୍ବେଷଣ କୂପ ଖନନ ପାଇଁ ଯୋଜନା କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତର ହାଇଡ୍ରୋକାର୍ବନ ସମ୍ପଦର ସମ୍ପୂର୍ଣ୍ଣ ଉପଯୋଗ କରିବା।
Dharitri – Odisha’s No.1 Odia Daily

Share