Categories: ବାଣିଜ୍ୟ

ତେଲ ଚାହିଦା ୯.୪% ଖସିଲା

ନୂଆଦିଲ୍ଲୀ:  କୋଭିଡ୍‌ର ଦ୍ୱିତୀୟ ଲହର ପାଇଁ ଦେଶର ବିଭିନ୍ନ ପ୍ରାନ୍ତରେ ଲକ୍‌ଡାଉନ ଏବଂ ଶଟ୍‌ଡାଉନ କରାଯାଇଛି। ଆର୍ଥତ୍କ କାର୍ଯ୍ୟକଳାପ ଏବଂ ଯାନବାହନ ଚଳାଚଳ ଉପରେ ବର୍ତ୍ତମାନ କଟକଣା ଲାଗିଛି। ଫଳରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଉପରେ ଏହାର ପ୍ରଭାବ ପଡିଛି। ଏପ୍ରିଲରେ ଦେଶର ତୈଳ ଚାହିଦା ୯.୪% ଖସିଥିବା ଜଣାପଡିଛି।
ବୁଧବାର ପ୍ରକାଶିତ ଅଫିସିଆଲ ଡାଟା ମୁତାବକ, ଏପ୍ରିଲରେ ପେଟ୍ରୋଲ ଏବଂ ଡିଜେଲ ବ୍ୟବହାର ୯.୩୮% ନିମ୍ନରେ ରହି ୧୭.୦୧ ନିୟୁତ ଟନ ରହିଛି। ଏହା ମାର୍ଚ୍ଚରେ ୧୮.୭୭ ନିୟୁତ ଟନ ରହିଥିଲା। ୨୦୦୬ ପରଠାରୁ ଏହା ସବୁଠୁ ସର୍ବନିମ୍ନ ସ୍ତର ବୋଲି କୁହାଯାଉଛି। କାର ଏବଂ ମୋଟର ସାଇକେଲରେ ବ୍ୟବହାର ହେଉଥିବା ପେଟ୍ରୋଲ ବିକ୍ରି ହ୍ରାସ ହୋଇ ୨.୩୮ ନିୟୁତ ଟନ ରହିଛି। ଏହା ଅଗଷ୍ଟ ପରଠାରୁ ସର୍ବନିମ୍ନ ସ୍ତର। ମାର୍ଚ୍ଚ ୨୦୨୧ ତୁଳନାରେ ଏପ୍ରିଲରେ ପେଟ୍ରୋଲ ବିକ୍ରି ୧୩% ନିମ୍ନରେ ରହିଛି। ସେହିଭଳି ଗତ ବର୍ଷ ଏପ୍ରିଲ ତୁଳନାରେ ବିକ୍ରି ୩% କମିଛି।
ଦେଶ ମଧ୍ୟରେ ଡିଜେଲ ଚାହିଦା ଏପ୍ରିଲରେ ହ୍ରାସ ହୋଇ ୬.୬୭ ନିୟୁତ ଟନ ରହିଛି। ପୂର୍ବ ମାସ ତୁଳନାରେ ଏହା ୭.୫% ନିମ୍ନରେ ଥିବା ବେଳେ ଗତ ବର୍ଷ ଏପ୍ରିଲ ତୁଳନାରେ ୯% କମ୍‌। କୋଭିଡ୍‌ ଯୋଗୁ ବିମାନ ଚଳାଚଳ ଉପରେ କଟକଣା ଲାଗିଥିବାରୁ ବିମାନ ଇନ୍ଧନ ବିକ୍ରି ୧୪% ହ୍ରାସ ହୋଇ ୪.୦୯ ଲକ୍ଷ ଟନ୍‌ ରହିଛି। ଚଳିତ ବର୍ଷ ମାର୍ଚ୍ଚ ତୁଳନାରେ ଏଥିରେ ୧୪% ହ୍ରାସ ହୋଇଛି। ଗତ ବର୍ଷ ଏପ୍ରିଲ ତୁଳନାରେ ଏହା ୩୬.୭% ନିମ୍ନରେ ରହିଛି। ସେହିଭଳି ଏଲ୍‌ପିଜି ବିକ୍ରି ୬.୪% କମିବା ଯୋଗୁ ୨.୧ ନିୟୁତ ଟନ ରହିଛି। ଗତ ବର୍ଷ ଏପ୍ରିଲ ତୁଳନାରେ ଚଳିତ ବର୍ଷ ଏପ୍ରିଲରେ ଏଲ୍‌ପିଜି ବିକ୍ରି ୧୧% ବଢିବା ଯୋଗୁ ୧.୯ ନିୟୁତ ଟନ୍‌ ରହିଛି। ଏହାବାଦ ରାସ୍ତା ନିର୍ମାଣରେ ବ୍ୟବହାର ହେଉଥିବା ବିଟୁମିନ ବିକ୍ରି କମିବା ଯୋଗୁ ଏହା ୬.୮୫ ଲକ୍ଷ ଟନ୍‌ ରହିଥିବା ପେଟ୍ରୋଲିୟମ ପ୍ଲାନିଂ ଆଣ୍ଡ ଆନାଲିସିସ୍‌ ସେଲ୍‌ ପକ୍ଷରୁ ସୂଚନା ରହିଛି।

Share