ଥୁଆମୂଳ ରାମପୁର, ୨୨/୦୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ସ୍ତରରେ ଇରାନ-ଆମେରିକା ଯୁଦ୍ଧକାଳୀନ ସ୍ଥିତି ଯୋଗୁ ସୁଦୂର ଗ୍ରାମାଞ୍ଚଳରେ ଇନ୍ଧନ ସଙ୍କଟ ଉଗ୍ର ରୂପ ନେଇଛି। ଆଗକୁ ଏହା ଅଧିକ ଭୟଙ୍କର ହେବା ଆଶଙ୍କାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ‘ଇନ୍ଧନ ସଞ୍ଚୟ’ ପାଇଁ ବିଶେଷ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ପରେ ଯୋଗାଣ ବ୍ୟବସ୍ଥା ଉପରେ ଚାପ ବଢ଼ିଥିବା ବେଳେ, ଥୁଆମୂଳ ରାମପୁର ବ୍ଲକରେ ଏହା ଏକ ଗୁରୁତର ଜନ ଅସନ୍ତୋଷର ରୂପ ନେଇଛି। ବ୍ଲକର ପ୍ରମୁଖ ସଦର ମହକୁମା ସ୍ଥିତ ‘Mr. Maa Manikeswari Fuels (KSK)’ ଏବଂ ଗୁଣୁପୁର ପେଟ୍ରୋଲ ପମ୍ପ ଦ୍ୱୟ ଗତ ୭ ଦିନରୁ ଊର୍ଦ୍ଧ୍ୱ ହେବ ସମ୍ପୂର୍ଣ୍ଣ ଶୂନ୍ୟ ହୋଇ ପଡ଼ିଥିବା ବେଳେ ରାମପୁର ପମ୍ପର ମନମୁଖୀ କାରବାରକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।
ତୈଳ ସଙ୍କଟ ଓ ପମ୍ପଗୁଡ଼ିକରେ ଲାଗିଥିବା ତାଲାକୁ ନେଇ ଗଣମାଧ୍ୟମ ପ୍ରତିନିଧି ପେଟ୍ରୋଲ ପମ୍ପ ସମ୍ମୁଖରୁ ସ୍ଥାନୀୟ ତହସିଲଦାର ସତ୍ୟ ସନାତନ ପାଣିଗ୍ରାହୀଙ୍କୁ ଫୋନ୍ ଯୋଗେ ପଚାରିବାରୁ ସେ ଏକ ଆଶ୍ଚର୍ଯ୍ୟଜନକ ସଫେଇ ଦେଇଛନ୍ତି। ତହସିଲଦାର କହିଛନ୍ତି, “ବର୍ତ୍ତମାନ ସବୁ ପେଟ୍ରୋଲ ପମ୍ପରେ ତେଲ ଉପଲବ୍ଧ ଅଛି ଏବଂ ସ୍ଥିତି ସମ୍ପୂର୍ଣ୍ଣ ସ୍ୱାଭାବିକ ଅଛି। ପୂର୍ବରୁ ଯାହା କିଛି ତୈଳ ସଙ୍କଟ ଥିଲା ତାହା ସପ୍ତାହେ ତଳେ ଥିଲା, ଏବେ ଆଉ କୌଣସି ଅସୁବିଧା ନାହିଁ।” ଏହା ସହ କଳାବଜାରୀ କରୁଥିବା ଲୋକଙ୍କ ବିରୋଧରେ ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଗତ ସପ୍ତାହରେ ଜିଲା ପ୍ରଶାସନ ପକ୍ଷରୁ ମଧ୍ୟ ସାମ୍ବାଦିକ ସମ୍ମିଳନୀ କରି କଳାହାଣ୍ଡିରେ ପ୍ରଚୁର ତୈଳ ଗଚ୍ଛିତ ଥିବା ଦାବି କରାଯାଇଥିଲା। ମାତ୍ର ପ୍ରଶାସନର ଏହି ସଫେଇ ଏବଂ କ୍ଷେତ୍ରସ୍ତରର ବାସ୍ତବ ଚିତ୍ର ମଧ୍ୟରେ ଆକାଶ ପାତାଳ ତଫାତ୍ ଦେଖିବାକୁ ମିଳିଛି।
ତହସିଲଦାର ସବୁ ପମ୍ପରେ ତେଲ ଥିବା କହୁଥିବା ବେଳେ, ଆମେ ଯେତେବେଳେ ରାମପୁର ପମ୍ପ ମାଲିକଙ୍କ ସହ ଫୋନ୍ରେ କଥା ହେଲୁ, ସେ ସ୍ପଷ୍ଟ କହିଛନ୍ତି ଯେ ତାଙ୍କ ଟ୍ୟାଙ୍କରେ ସପ୍ତାହେ ହେଲା ତେଲ ନାହିଁ। ଅର୍ଡର କରିଥିଲେ ବି ଷ୍ଟକ୍ ଆସିନାହିଁ। ମାତ୍ର ଚିନ୍ତାଜନକ ବିଷୟ ହେଉଛି, ପମ୍ପରେ ଜରୁରୀକାଳୀନ ସେବା ପାଇଁ ୩୦୦ ଲିଟର ଡିଜେଲ ଗଚ୍ଛିତ ଥିଲେ ମଧ୍ୟ ସାଧାରଣ ଜରୁରୀ ଗାଡ଼ିକୁ ତେଲ ଦିଆଯାଉ ନାହିଁ। ପମ୍ପ କର୍ତ୍ତୃପକ୍ଷ ସଫେଇ ଦେଉଛନ୍ତି ଯେ, ସେମାନେ କେବଳ ଅଗ୍ନିଶମ ଗାଡ଼ି, ପୋଲିସ ଏବଂ RWSS ଭଳି ସରକାରୀ ଗାଡ଼ିକୁ ତେଲ ଦେଉଛନ୍ତି ଓ ଅନ୍ୟ ଗାଡ଼ିଗୁଡ଼ିକ ସେମାନଙ୍କ ପାଖରେ ଖାତା ଖୋଲିନାହାନ୍ତି। ମାତ୍ର ବାସ୍ତବରେ ପମ୍ପ କର୍ତ୍ତୃପକ୍ଷ ଜରୁରୀକାଳୀନ ଷ୍ଟକ୍ ଥିବା କଥା ସାଧାରଣ ଗ୍ରାହକଙ୍କୁ ଲୁଚାଉଛନ୍ତି ଏବଂ ‘ଲୋକ ଦେଖି’ ନିଜ ମନଇଚ୍ଛା କେବଳ କିଛି ସମ୍ପର୍କୀୟ ଓ ଖାସ୍ ଲୋକଙ୍କୁ ହିଁ ପଛପଟେ ତେଲ ଯୋଗାଉଥିବା ନେଇ ଜନସାଧାରଣ ସିଧାସଳଖ ଅଭିଯୋଗ କରିଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ପ୍ରଶାସନ ଓ ପମ୍ପ ମାଲିକଙ୍କ ମଧ୍ୟରେ କୌଣସି ତାଳମେଳ ନାହିଁ।
ସଦର ମହକୁମା ଓ ଗୁଣୁପୁର ପମ୍ପ ବନ୍ଧ ଥିବାରୁ ସମଗ୍ର ବ୍ଲକର ଚାପ ଏବେ କୁମ୍ଭାରକାନି ସ୍ଥିତ ‘ଏମ୍/ଏସ୍ ଶିବ ଶଙ୍କର ଫୁଏଲ୍ସ’ ପମ୍ପ ଉପରେ ପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ଯେତେବେଳେ ଏଠାରେ ତେଲ ଦେବା ଆରମ୍ଭ ହେଲା, ସେତେବେଳେ ଗ୍ରାହକଙ୍କ ଅସମ୍ଭାଳ ଭିଡ଼ ଜମିଥିଲା। ମାତ୍ର ସବୁଠାରୁ ବଡ଼ ନିନ୍ଦନୀୟ ବିଷୟ ହେଉଛି, ସେଠାରେ ଉପସ୍ଥିତ ପୋଲିସ ପ୍ରଶାସନର ଆଖି ସାମ୍ନାରେ ହିଁ ସରକାରୀ କଟକଣାକୁ ବେଖାତିର କରି ଲୋକେ ପ୍ଲାଷ୍ଟିକ୍ ବୋତଲ ଓ ବଡ଼ ବଡ଼ ଜାର୍ରେ ଲିଟର ଲିଟର ତେଲ ଭରି ନେଉଥିଲେ। ପୋଲିସ ଏହାକୁ ରୋକିବା ପରିବର୍ତ୍ତେ ନିଷ୍କ୍ରିୟ ରହିଥିଲା। ଏହି ତେଲ ଏବେ ଦୁର୍ଗମ ଅଞ୍ଚଳରେ ଲିଟର ପିଛା ୧୫୦ ରୁ ୨୦୦ ଟଙ୍କା ଚଢ଼ା ଦରରେ ଖୋଲାଖୋଲି କଳାବଜାରୀ ହେଉଛି, ଯାହା ସାଧାରଣ ଜନତାଙ୍କ ପକେଟ୍କୁ ସିଧାସଳଖ ମାଡ଼ କରୁଛି।
ଥୁଆମୂଳ ରାମପୁର ବ୍ଲକ୍ ଏକ ଦୁର୍ଗମ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଲୋକେ ଗମନାଗମନ, ଚାଷ କାମ ଓ ଦୈନିକ ଜୀବନଯାତ୍ରା ପାଇଁ ସମ୍ପୂର୍ଣ୍ଣ ଗାଡ଼ି ଉପରେ ନିର୍ଭର କରନ୍ତି। ବ୍ଲକରେ ୩ଟି ପେଟ୍ରୋଲ ପମ୍ପ ଥାଇ ମଧ୍ୟ ପ୍ରଶାସନିକ ସଫେଇ ଏବଂ ପାତରଅନ୍ତର କାରବାର ଯୋଗୁ ସାଧାରଣ ଖାଉଟି ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ କେବଳ କାଗଜପତ୍ରର ମିଛ ରିପୋର୍ଟ ନଦେଇ ତୁରନ୍ତ କ୍ଷେତ୍ରସ୍ତରରେ ଦୃଷ୍ଟି ଦେଉ, ଥୁଆମୂଳ ରାମପୁର ପମ୍ପର ମନମୁଖୀ କାରବାର ଉପରେ ତଦନ୍ତ କରୁ ଏବଂ ବ୍ଲକରେ ତୈଳ ଯୋଗାଣ ସ୍ୱାଭାବିକ କରି ସଙ୍କଟ ଦୂର କରୁ ବୋଲି ଅଞ୍ଚଳବାସୀ ଦୃଢ଼ ଦାବି କରିଛନ୍ତି।