ଗୋପରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ଘଟଣା: କୁଶୁପୁରରେ ଖନନ କାର୍ଯ୍ୟ ଆରମ୍ଭ

ଗୋପ,୧୭ା୧୦(ଡି.ଏନ୍‌.ଏ.): ପୁରୀ ଜିଲା ଗୋପ ବ୍ଲକ୍‌ ଅନ୍ତର୍ଗତ କୁଶୁପୁର ଠାରେ ତୈଳ ଓ ପ୍ରାକୃତିକ ଗ୍ୟାସର ସନ୍ଧାନ ମିଳିବା ପରେ ଅଏଲ ଇଣ୍ଡିଆ କମ୍ପାନୀ ପକ୍ଷରୁ ରବିବାର ଠାରୁ ପ୍ରାଥମିକ ଭାବେ ଖନନ କାର୍ଯ୍ୟ ଆରମ୍ଭ ହୋଇଛି। ୪ ଇଞ୍ଚର ବୋରିଂ କରାଯାଉଥିବାବେଳେ ମୋଟ ୩୦ ମିଟର ବୋରିଂ କରାଯିବ। ଖନନ କରାଯାଇ ମାଟିର ନମୁନା ସଂଗ୍ରହ କରାଯିବ ଓ ପରେ ପରୀକ୍ଷା ଲାଗି ଦିଲ୍ଲୀ ପଠାଯିବ। ରିପୋର୍ଟ ଆସିଲେ ଚୂଡ଼ାନ୍ତ ଖନନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ମିଳିଛି। କୁଶୁପୁର ମୌଜାରୁ ଚିହ୍ନଟ କରାଯାଇଥିବା ୭ ଏକର ଜମିରେ ତିନୋଟି ପୋଖରୀ ଖୋଳାଯାଇଥିବା ବେଳେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି। ରବିବାର ଠାରୁ ବୋରିଂ କାର୍ଯ୍ୟ ଜାରି ରହିଛି। ପ୍ରକାଶ ଯେ, ସେସମିକ୍‌ ସର୍ଭେ ପରେ ଗୋପ ବ୍ଲକ୍‌ର କୁଶୁପୁର ଓ ଚିତ୍ରା ମୌଜାରେ ପ୍ରାକୃତିକ ଗ୍ୟାସ ଓ ତୈଳର ସନ୍ଧାନ ମିଳିଥିବା ଅଏଲ ଇଣ୍ଡିଆ ଜଣାପଡ଼ିବା ପରେ କମ୍ପାନୀ ପକ୍ଷରୁ କୁଶୁପୁର ମୌଜାରୁ ୩୭ ଜଣ ଚାଷୀଙ୍କ ଠାରୁ ୩ ବର୍ଷୀୟା ଲିଜ୍‌ ସୂତ୍ରରେ ୭ ଏକର ଜମି ନିଆଯାଇ ୯୫ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଅନୁରୂପ ଭାବେ ଚିତ୍ରା ମୌଜାର ଚିତ୍ରା ଠାରେ ପାଖାକା ୭ ଏକର ଜମି ଚିହ୍ନଟ କରାଯାଇଥିବା ବେଳେ ୧୩୦ ଜଣ ଚାଷୀଙ୍କୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ତେବେ ଅଏଲ ଇଣ୍ଡିଆ ପକ୍ଷରୁ କୁଶୁପୁର ଠାରେ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ପୂର୍ବରୁ ପ୍ରସ୍ତୁତ ଯୋଜନା ମୁତାବକ ସମସ୍ତ କାର୍ଯ୍ୟ ଜାରି ରହିଛି।