୮ ଜିଲାରେ ହେବ ତୈଳ, ଗ୍ୟାସ୍‌ର ସନ୍ଧାନ: ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୧। ୧୧(ବ୍ୟୁରୋ): ପୁରୀ ଜିଲା କାକଟପୁରସ୍ଥିତ ମହାନଦୀ ଅବବାହିକା ସମେତ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଓପନ ଏକ୍ରେଜ୍‌ ଲାଇସେନ୍ସିଂ ପଲିସୀ (ଓଏଏଲପି) ଅଧୀନରେ ତୈଳ ଏବଂ ପ୍ରାକୃତିକ ଗ୍ୟାସର ସନ୍ଧାନ କରାଯିବ। ଅଏଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ରାଜ୍ୟର ୮ ଜିଲାରେ ହେବାକୁ ଥିବା ସେସମିକ୍‌ ସର୍ବେକ୍ଷଣ ଅଭିଯାନକୁ ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସ ଜରିଆରେ ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ପୁରୀ, ଖୋର୍ଦ୍ଧା, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ଜିଲାରେ ସେସମିକ୍‌ ସର୍ଭେ ହେବ। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୫ ବ୍ଲକ ପାଇଁ ୩ ହଜାର ବର୍ଗ କିମି କ୍ଷେତ୍ରରେ ସର୍ବେକ୍ଷଣ କାମ ଆରମ୍ଭ ହୋଇଛି। ସେସମିକ୍‌ ସର୍ଭେରେ ୨୨୦ କୋଟି ଟଙ୍କା ସମେତ ମୋଟ୍‌ ୧୨୪୮ କୋଟି ଟଙ୍କା ନିବେଶରେ ବ୍ୟାପକ ଅନ୍ବେଷଣ ଡ୍ରିଲିଂ ଅଭିଯାନ କରାଯିବ। ଅଭିଯାନ ସଫଳ ହେଲେ ଓଡ଼ିଶା ଅର୍ଥନୀତିରେ ନୂଆ ଅଧ୍ୟାୟ ସୃଷ୍ଟି ହେବ। ଏହା ଆତ୍ମନିର୍ଭର ଭାରତ ପରିକଳ୍ପନାକୁ ସାକାର କରିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।