Categories: ଜାତୀୟ

କଶ୍ମୀରକୁ ନେଇ ଇସ୍‌ଲାମିକ୍‌ ସଂଗଠନ ରଖିଲା ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୨।୧୨: ଇସ୍‌ଲାମିକ ଦେଶର ସଂଗଠନ ଓଆଇସି (ଅର୍ଗାନାଇଜେସନ୍‌ ଅଫ୍‌ ଇସ୍‌ଲାମିକ କୋଅପରେଶନ୍‌) ପୁଣି ଥରେ କଶ୍ମୀର ବିବାଦ ସମ୍ପର୍କରେ ଏକ ବୟାନ ଜାରି କରିଛି। କଶ୍ମୀର ପ୍ରସଙ୍ଗରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଆଲୋଚନାର ଏକ ରାସ୍ତା ଖୋଜିବା ପାଇଁ ଏହି ସଂଗଠନ ଯୋଜନା ପ୍ରସ୍ତୁତ କରୁଛି ବୋଲି ଓଆଇସି କହିଛି। ସୋମବାର ପିଓକେରେ ପହଞ୍ଚିଥିବା ଓଆଇସି ସେକ୍ରେଟାରୀ ଜେନେରାଲ ହିସେନ ବ୍ରାହିମ୍‌ ତାହା ରାଷ୍ଟ୍ରପତିଙ୍କ ବାସଭବନରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ଏନେଇ ପ୍ରତିକ୍ରିୟା ଦେଇଛନ୍ତି। ହିସେନ ବ୍ରାହିମ୍‌ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାକିସ୍ତାନ ଏବଂ ଭାରତ ମଧ୍ୟରେ କଥାବାର୍ତ୍ତାର ଏକ ମାଧ୍ୟମ ଖୋଜିବା। ପାକିସ୍ତାନ ସରକାର ଏବଂ ଅନ୍ୟାନ୍ୟ ଦେଶ ସହ ମିଶି ଆମେ ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବାରେ ଲାଗିପଡ଼ିଛୁ। ତେଣୁ ଆମକୁ ଏହି ପ୍ରସଙ୍ଗରେ ସଂଗଠନର ସଦସ୍ୟ ଦେଶମାନଙ୍କ ସହଯୋଗ ଆବଶ୍ୟକ ଏବଂ ଜାଣିବା ଉଚିତ ଯେ ରାସ୍ତାରେ ଠିଆ ହୋଇ ଏହି କୂଟନୈତିକ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇପାରିବ ନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଆସୁଥିବା କଶ୍ମୀର ବିବାଦର ସମାଧାନ ପାଇଁ ଏକ ଉପାୟ ଖୋଜିବା ପାଇଁ ଓଆଇସି ଉଦ୍ୟମ କରୁଛି ବୋଲି ହିସେନ ବ୍ରାହିମ୍‌ କହିଛନ୍ତି।

Share