ମୁକୁଳା ବୋର୍‌ଓ୍ବେଲରେ ପଡ଼ି ବୃଦ୍ଧା ମୃତ୍ୟୁ ମାମଲା ସୁବର୍ଣ୍ଣପୁର ଜିଲାପାଳଙ୍କୁ ଓଏଚ୍‌ଆର୍‌ସିଙ୍କ ନୋଟିସ

କଟକ,୧ା୧୨ (କାର୍ତ୍ତିକ ସାହୁ): ସୁବର୍ଣ୍ଣପୁର ଜିଲା ସୋନପୁର ବ୍ଲକର ଖଲିଆପାଲି ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ବୃଦ୍ଧା ଦୁଃଖୀ ନେଗିଙ୍କ ବୋର୍‌ଓ୍ବେଲରେ ପଡ଼ି ମୃତ୍ୟୁ ମାମଲାରେ ଓଡ଼ିଶା ମାନବିକ ଅଧିକାର ଆୟୋଗ (ଓଏଚ୍‌ଆର୍‌ସି) ସ୍ଥାନୀୟ ଜିଲାପାଳଙ୍କୁ ଶୁକ୍ରବାର ନୋଟିସ ଜାରି କରିଛନ୍ତି। ଉକ୍ତ ଘଟଣାର ତଦନ୍ତ କରାଇ ପରବର୍ତ୍ତୀ ଶୁଣାଣି ସୁଦ୍ଧା ରିପୋର୍ଟ ଦାଖଲ ନିମନ୍ତେ ଓଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ ଫେବୃୟାରୀ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ମାମଲାର ବିବରଣୀ ଅନୁଯାୟୀ, ଦୁଃଖୀ ଝିଅ ଘରକୁ ବୁଲିବାକୁ ଆସିଥିବାବେଳେ ଗତ ୧୪ ତାରିଖରେ ଅଘଟଣର ଶିକାର ହୋଇଥିଲେ। ରାଜ୍ୟ ସରକାରଙ୍କ ଉଠାଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଏକ ମୁକୁଳା ବୋର୍‌ଓ୍ବେଲରେ ବୃଦ୍ଧା ଜଣଙ୍କ ଖସିପଡ଼ି ୨୪ ଘଣ୍ଟା ରହିବା ଦ୍ୱାରା ତାଙ୍କର ମୃତ୍ୟୁ ଘଟିଥିଲା। ମାନବାଧିକାର କର୍ମୀ ପ୍ରବୀର କୁମାର ଦାସ ଏନେଇ ଓଏଚ୍‌ଆର୍‌ସିରେ ମାମଲା ରୁଜୁ କରି ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ନିବେଦନ କରିଛନ୍ତି।