ଅମରପାଲି, ୧୭।୦୫ (ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ସଂଗ୍ରାମପୁର ପଞ୍ଚାୟତର ଦୁର୍ଗାଦେବୀପାଲି ଗ୍ରାମରେ ଜଣେ ଚାଷୀଙ୍କ ଛେଳି ଗୁହାଳରେ ଦୁର୍ବୃତ୍ତମାନେ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଏହି ଅଗ୍ନିକାଣ୍ଡରେ ଗୁହାଳଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଅଳ୍ପକେ ଛେଳି ଓ ମେଣ୍ଢାମାନଙ୍କ ଜୀବନ ରକ୍ଷା ପାଇଛି।
ଅଭିଯୋଗ ଅନୁସାରେ, ଦୁର୍ଗାଦେବୀପାଲି ଗ୍ରାମର ଖଗେଶ୍ୱର ପଧାନ ଛେଳି ଓ ମେଣ୍ଢା ପାଳନ କରି ପରିବାର ପ୍ରତିପୋଷଣ କରନ୍ତି। ସବୁଦିନ ପରି ଶନିବାର ସେ ଛେଳି ଓ ମେଣ୍ଢାମାନଙ୍କୁ ବାହାରୁ ଚରାଇ ଆଣି ଗୁହାଳରେ ରଖିଥିଲେ। ରାତିରେ ପରିବାର ଲୋକେ ଶୋଇଥିବା ସମୟରେ କେତେକ ଦୁର୍ବୃତ୍ତ ବାଇକରେ ଆସି ଗୁହାଳରେ ନିଆଁ ଲଗାଇ ଫେରାର ହୋଇଯାଇଥିଲେ।
ଗୁହାଳରେ ନିଆଁ ଦ୍ରୁତଗତିରେ ବ୍ୟାପିବା ସହ ଭିତରେ ଥିବା ଛେଳି ଓ ମେଣ୍ଢାମାନେ ବିକଳରେ ଚିତ୍କାର କରିଥିଲେ। ପଶୁମାନଙ୍କ ଚିତ୍କାର ଶୁଣି ପରିବାର ଲୋକଙ୍କ ନିଦ ଭାଙ୍ଗିଥିଲା। ଏହାପରେ ପଡ଼ୋଶୀମାନଙ୍କ ସହଯୋଗରେ ସେମାନେ ନିଆଁକୁ ଆୟତ୍ତ କରିବା ସହିତ ଗୁହାଳ ଭିତରୁ ସମସ୍ତ ଛେଳି ଓ ମେଣ୍ଢାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ। ତେବେ ଏହି ଘଟଣାରେ କେତେକ ମେଣ୍ଢା ଆହତ ହୋଇଥିବା ସୂଚନା ମିଳିଛି। ଗୁହାଳଟି ସମ୍ପୂର୍ଣ୍ଣ ଜଳିଯାଇଥିବାରୁ ଖଗେଶ୍ୱରଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି।
ଏନେଇ ଖଗେଶ୍ୱର ପଧାନ ସୁବଳୟା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସୁବଳୟା ଥାନା ଅଧିକାରୀ ପଞ୍ଚାନନ ନାଏକ କହିଛନ୍ତି ଯେ, “ପୋଲିସ ଟିମ୍ ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଘଟଣାର ତଦନ୍ତ କରୁଛି।” ଅପରପକ୍ଷରେ, ଏହି ସଂବେଦନଶୀଳ ଘଟଣାର ସଠିକ୍ ତଦନ୍ତ କରି ଦୁର୍ବୃତ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।