ବାରବାଟୀ ଟି୨୦ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି: ରାତିରୁ ଅସମ୍ଭାଳ ଭିଡ଼

କଟକ,୪।୧୨(ଶିଳ୍ପା ପ୍ରିୟଦର୍ଶିନୀ): ଆଜିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହେବ। ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଅସମ୍ଭାଳ ଭିଡ଼ ଦେଖାଯାଇଛି। ଦିନ ୯ଟାରୁ ଟିକେଟ ବିକ୍ରି ହେବ। ଏହାପୂର୍ବରୁ ଷ୍ଟାଡିୟମ ବାହାରେ ପ୍ରବଳ ଭିଡ଼ ଲାଗିରହିଛି। ରାଜ୍ୟ ତଥା ବାହାରୁ କ୍ରିକେଟ ପ୍ରେମୀଙ୍କ ଗହଳି ଦେଖିବାକୁ ମିଳିଛି। ସ୍ପେଶାଲ କାଉଣ୍ଟରରେ ମହିଳା ଟିକେଟ କାଟିବେ ବୋଲି ଜଣାପଡିଛି।

ବାରବାଟୀ ଟି୨୦ ମ୍ୟାଚ୍‌କୁ ଆଉ ମାତ୍ର ଚାରିଦିନ ଥିବାବେଳେ ଷ୍ଟାଡିୟମ ସମ୍ପୂର୍ଣ୍ଣ ରୂପେ ସଜେଇ ହୋଇଛି। ଷ୍ଟାଡିୟମ ସୁରକ୍ଷିତ ଭାବେ ମ୍ୟାଚ୍‌ ପରିଚାଳନା କରିବା ପାଇଁ ସକ୍ଷମ ବୋଲି ଆଇଆଇଟି ଭୁବନେଶ୍ୱରର ବୈଷୟିକ ଟିମ୍‌ ସାର୍ଟିଫିକେଟ ପ୍ରଦାନ କରିଥିବା ସୂଚନା ମିଳିଛି। ସେହିପରି ମ୍ୟାଚ୍‌ ପୂର୍ବରୁ ଅଗ୍ନିଶମ ବିଭାଗ ପକ୍ଷରୁ ଅଧିକାରୀମାନେ ଗୁରୁବାର ବାରବାଟୀରେ ଅଗ୍ନିଶମ ବ୍ୟବସ୍ଥାକୁ ତନ୍ନତନ୍ନ କରି ପରଖିଛନ୍ତି ଏବଂ ଡିସେମ୍ବର ୬ ଓ ୭ ତାରିଖ ସନ୍ଧ୍ୟା ସମୟରେ ଷ୍ଟାଡିୟମକୁ ସମ୍ପୂର୍ଣ୍ଣ ଭାବେ ଅନ୍ଧାର କରାଯିବ ଏବଂ ଅଗ୍ନିଶମ ବିଭାଗ ଦ୍ୱାରା ମକ୍‌ଡ୍ରିଲ ହେବ। ଇତିମଧ୍ୟରେ ଦୁଇଦିନ ଧରି ଓସିଏ ଅନୁବନ୍ଧିତ ସଂସ୍ଥାଗୁଡ଼ିକୁ ଟିକେଟ ବିକ୍ରି ଶେଷ ହୋଇଛି। ଶୁକ୍ରବାରଠାରୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ କରାଯିବ। ଟିକେଟ ବିକ୍ରି ସମୟରେ ଧାଡ଼ିଠାରୁ ଆରମ୍ଭ କରି କାଉଣ୍ଟର ଯାଏ ସମସ୍ତ ସ୍ଥାନକୁ ୪୩ଟି ବୁଲେଟି ଆଇପି କ୍ୟାମେରା ଜଗିବ। ଏପରି କି ପ୍ରଥମକରି ଚଳିତ ମ୍ୟାଚ୍‌ରେ ଏଲ୍‌ଇଡି ପ୍ୟାନେଲର ବ୍ୟବସ୍ଥା କରାଯାଇଛି। ଦୁଇଟି ଏଲ୍‌ଇଡି ପ୍ୟାନେଲ ଯୋଗେ ଟିକେଟ କିଣିବା ସମୟରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅପରପକ୍ଷରେ ବାରବାଟୀରେ ଡିଏମ୍‌ଏକ୍ସ ଶୋ’ ନିମନ୍ତେ ଗୁରୁବାର ଫ୍ଲଡ୍‌ ଲାଇଟ୍‌ର ଗୋଟିଏ ଖୁଣ୍ଟିର ଡ୍ରାଏ ରନ୍‌ କରାଯାଇଛି ଏବଂ ଦିନେ ଦୁଇଦିନରେ ସମସ୍ତ ଲାଇଟ୍‌ର ଏକା ସଙ୍ଗେ ଡ୍ରାଏ ରନ୍‌ କରାଯିବ ବୋଲି ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କନ୍‌ସଲଟାଣ୍ଟ ବିଷ୍ଣୁପ୍ରସାଦ ମହାପାତ୍ର ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟର ଏହି ଏକମାତ୍ର ଅନ୍ତର୍ଜାତୀୟ କ୍ରିକେଟ ଭେନ୍ୟୁରେ ୪ର୍ଥ ଥର ଟି୨୦ ମ୍ୟାଚ୍‌ ଖେଳାଯିବ। ବିଶୃଙ୍ଖଳାକୁ ଏଡ଼ାଇବାକୁ ପ୍ରଥମ କରି ଲୁହା ବ୍ୟାରିକେଡ୍‌ର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଟିକେଟ ଆଶାୟୀଙ୍କ ନିମନ୍ତେ ଉଦ୍ଦିଷ୍ଟ ବ୍ୟାରିକେଡ୍‌ର ଚଉଡା ୨ଫୁଟ୍‌ ରହୁଥିଲା। ଏହା ନିକଟରେ ଥିବା ସର୍ଭିସ ବ୍ୟାରିକେଡ୍‌ ରହୁଥିଲା ୩ ଫୁଟ୍‌। ହେଲେ ଏଥର ଜନସାଧାରଣଙ୍କ ପାଇଁ ହେବାକୁ ଥିବା ବ୍ୟାରିକେଡ୍‌ ଅଢ଼େଇ ଫୁଟ ବିଶିଷ୍ଟ ହେବ। ସର୍ଭିସ ବ୍ୟାରିକେଡ୍‌କୁ ୪ ଫୁଟ୍‌ ଚଉଡା କରାଯିବ ବୋଲି ସ୍ଥିର ହୋଇଛି। କାଉଣ୍ଟର ପାଖରୁ ୮୦୦ ମିଟର ପର୍ଯ୍ୟନ୍ତ ଷ୍ଟିଲ ବ୍ୟାରିକେଡ୍‌ ଲଗାଯାଇଛି। ସେହିପରି ଆମ୍ବୁଲାନ୍ସ, ବାୟୋଟଏଲେଟ୍‌ ଏବଂ ଏକ ମେଡିକାଲ ଟିମ୍‌ ନିୟୋଜିତ କରାଯିବ। କାଉଣ୍ଟରରେ ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏ ଟିକେଟ ବିକ୍ରି କରାଯିବ ।

 

Dharitri – Odisha’s No.1 Odia Daily