ପ୍ରକାଶ ପାଇଲା ମାଟ୍ରିକ୍‌ ଅଫ୍‌ଲାଇନ୍‌ ପରୀକ୍ଷାଫଳ: ପାସ୍‌ ହାର ୮୦.୮୩%

କଟକ ଅଫିସ,୨୪।୮: ମାଟ୍ରିକ ଅଫ୍‌ଲାଇନ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ମୋଟ ପାସ ହାର ୮୦.୮୩% ରହିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଥିବା ବେଳେ ୧୪୧ ଜଣ ଫେଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୧୦୦ ପୁଅ ଓ ୨୧୩୩ ଝିଅ ରହିଛନ୍ତି। ମୋଟ ୪୨ ଜଣ ଛାତ୍ରଛାତ୍ରୀ A୧ ପାଇଛନ୍ତି । ସେହିଭଳିି A୨-୨୫୫, B୧- ୩୪୮, B୨- ୪୫୮, C-୫୯୯, D- ୮୪୬, E-୨୬୮୫, F- ୧୪୧ ଜଣ ପାଇଛନ୍ତି।

ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ସଭାପତି ରାମାଶିଷ ହାଜରା ଦେଇଥିବା ସୂଚନାନୁଯାୟୀ, ୬୬୨୦ ଜଣ ଛାତ୍ରଛାତ୍ରୀ ଅଫ୍‌ଲାଇନ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୪୬ ଜଣ ଛାତ୍ରଛାତ୍ରୀଙ୍କ ଫର୍ମ ରିଜେକ୍ଟ ହୋଇଥିଲା। ପରୀକ୍ଷାରେ ୧୦୮୬ ଜଣ ପିଲା ଅନୁପସ୍ଥିତ ଥିଲେ। କପି କରି ୧୪ ଜଣ ଧରାପଡ଼ିଥିଲେ। ତେବେ ଏହି ପରୀକ୍ଷାରେ ୫୨୩୩ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ୧୪୧ ଜଣ ଫେଲ ହୋଇଛନ୍ତି ବୋଲି ବୋର୍ଡ ସଭାପତି କହିଛନ୍ତି।

ସେହିପରି ୮୪୯୧ ଜଣ ଛାତ୍ରଛାତ୍ରୀ ଷ୍ଟେଟ ଓପନ୍‌ ସ୍କୁଲ ଅଫ୍ଲାଇନ ପରୀକ୍ଷା ଦେଇଥିଲେ। ସେମାନଙ୍କ ଭିତରୁ ୧୩୮୧ ଅନୁପସ୍ଥିତ ରହିଥିଲେ। କପି କରି ୧୯ ଜଣ ଧରା ପ ୬୩୦୯ ଜଣ ପାସ କରିଛନ୍ତି। ପାସ ହାର ୭୪.୩% ରହିଛି। A୧ରେ କୌଣସି ପିଲା ପାସ କରିନାହାନ୍ତି। A୨ରେ ୧୭, B୧ରେ ୧୯୪, B୨ରେ ୩୪୭, C-୮୧୬, D-୧୪୨୫, E-୩୫୧୦ ଜଣ ପାସ କରିଛନ୍ତି। ୩୨୮ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି। ୫୨ ଜଣ ପିଲା ୫ଟି ବିଷୟରେ ପରୀକ୍ଷା ଦେଇନଥିବାରୁ ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ କରାଯାଇନାହିଁ ବୋଲି ବୋର୍ଡ ଉପସଭାପତି ନିହାର ମହାନ୍ତି କହିଛନ୍ତି। ସେହିପରି ମଧ୍ୟମାରେ ୧୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସମସ୍ତେ ପାସ କରିଛନ୍ତି।