କଳିଙ୍ଗନଗର ପୁସ୍ତକ ମେଳାକୁ ସରକାରୀ ସ୍ବୀକୃତି

ଯାଜପୁର ରୋଡ୍‌,୩ା୧୨(ଡି.ଏନ.ଏ.): ୭ମ କଳିଙ୍ଗନଗର ପୁସ୍ତକ ମେଳାକୁ ସରକାରୀ ସ୍ବୀକୃତି ମିଳିଛି। ଏହିକ୍ରମରେ ଶୁକ୍ରବାର କଳିଙ୍ଗନଗର ଉନ୍ନୟନ କର୍ତ୍ତୃପକ୍ଷ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି। ଚଳିତ ମାସ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଚୋରଦା କାଳୀ ମେଳଣ ପଡ଼ିଆରେ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟ ଓ ବାହାରୁ ବହୁ ସୁନାମଧନ୍ୟ ପୁସ୍ତକ ବିକ୍ରେତା ଓ ପ୍ରକାଶକ ସାମିଲ ହେବେ। ଏପରିକି ରାଜ୍ୟ ତଥା ଜିଲା ସ୍ତରୀୟ କବି, ଲେଖକ ତଥା ପ୍ରଶାସକମାନେ ଯୋଗଦେବେ। ୫୦ରୁ ଊର୍ଦ୍ଧ୍ୱ ବୁକ୍‌ଷ୍ଟଲ୍‌ ଖୋଲିବ। ସୂଚନାଯୋଗ୍ୟ ଯେ, ଏ ବର୍ଷ ପୁସ୍ତକମେଳାକୁ ଜିଲା ସଂସ୍କୃତି ବିଭାଗ ତତ୍ତ୍ୱାବଧାନରେ ପରିଚାଳନା କରିବାକୁ ଜିଲାପାଳଙ୍କ ଅନୁମୋଦନ କ୍ରମେ କଳିଙ୍ଗନଗର ଅତିରିକ୍ତ ଜିଲାପାଳ ଏହି ବୈଠକ ଆୟୋଜନ କରିଛନ୍ତି। ଅଞ୍ଚଳର ସମସ୍ତ ସ୍କୁଲ କଲେଜ, ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀଶିକ୍ଷକ, କବି ଲେଖକ ଓ ସାହିତି୍ୟକ, ସଂସ୍କୃତି ଓ କଳା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତିତ୍ୱମାନଙ୍କୁ ମେଳାରେ ସମ୍ବର୍ଦ୍ଧିତ କରାଯିବ। ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୌଦ୍ଧିକ, କଳା ଓ ସାଂସ୍କୃତିକ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବୈଠକରେ ପୁସ୍ତକ ମେଳା କମିଟି ସଭାପତି ବିଦ୍ୟାଧର ମହାନ୍ତି, ସାଧାରଣ ସମ୍ପାଦକ ଡ. କୁଶଚନ୍ଦ୍ର ପ୍ରଧାନ, ସବିତା ରାଉତ, ବିବେକାନନ୍ଦ ମହାନ୍ତି, ଧରିତ୍ରୀର ଜିଲା ପ୍ରତିନିଧି ହର୍ଷବର୍ଦ୍ଧନ ବେହେରାଙ୍କ ସମେତ ଅଭିମନ୍ୟୁ ମିଶ୍ର, ପବିତ୍ର ରଂଜନ ମହାନ୍ତି, ଚନ୍ଦ୍ରମଣି ସାମଲ, ଜ୍ଞାନରଞ୍ଜନ ରାଉତ, ଶିଶିର କୁମାର ରାଉତ, ଅଶ୍ୱିନୀ କୁମାର ଦାସ, ଦୁଷ୍ମନ୍ତ କୁମାର ରାଉତ, ବ୍ରଜେଶ୍ୱରୀ ସିଂହ, ବୀରକିଶୋର ସାହୁ ପ୍ରମୁଖ ଯୋଗଦେଇଥିଲେ। ପ୍ରଶାସନ ତରଫରୁ ଯାଜପୁର ରୋଡ୍‌ ଆଦର୍ଶ ଥାନାର ଭାରପ୍ରାପ୍ତ ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ, ଅଗ୍ନିଶମ ଅଧିକାରୀ ପ୍ରଭାକର ସାହୁ, ବ୍ୟାସନଗର ପୌର ପରିଷଦର ବରିଷ୍ଠ କର୍ମଚାରୀ ସୁଶାନ୍ତ କୁମାର ମଲ୍ଲିକ, ଟାଟା ପାୱାରର କନିଷ୍ଠ ଯନ୍ତ୍ରୀ ପ୍ରଦ୍ୟୁମ୍ନ କୁମାର ବରାଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଡ. ଅକ୍ଷୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।