ନୂଆପଡ଼ା,୨୫ା୯ (ମକାରୁ ବେମାଲ):ଛାତ୍ରୀଛାତ୍ରଙ୍କ ଶିକ୍ଷଣରେ ଉନ୍ନତି ଆଣିବା ସହ ସେମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ‘ସମ୍ଭାବନା-୨୦୨୭’ କାର୍ଯ୍ୟକ୍ରମ ଅଧୀନରେ ଏଣିକି ଜିଲା ଓ ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀ ବିଦ୍ୟାଳୟକୁ ଯାଇ ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇବେ। ସେପ୍ଟେମ୍ବର ୩ରେ ଅନୁଷ୍ଠିତ ସମୀକ୍ଷା ବୈଠକର ନିଷ୍ପତ୍ତି ଅନୁଯାୟୀ ଜିଲାପାଳ ଏହି ଆଦେଶ ଜାରି କରିଛନ୍ତି। ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ନିଜକୁ ଟ୍ୟାଗ କରାଯାଇଥିବା ବିଦ୍ୟାଳୟକୁ ଯାଇ କ୍ଲାସ ନେବେ। ସେମାନେ କେବଳ ପାଠ ପଢ଼ାଇବାରେ ସୀମିତ ନ ରହି ଛାତ୍ରୀଛାତ୍ରଙ୍କ ଧାରଣାତ୍ମକ ଜ୍ଞାନ, ଶିକ୍ଷାଗତ ପ୍ରସ୍ତୁତି ଓ ଶିକ୍ଷଣ ପ୍ରଗତିକୁ ଗୁରୁତ୍ୱ ଦେବେ। ପରବର୍ତ୍ତୀ ସମୟରେ ପ୍ରଧାନଶିକ୍ଷକ ଓ ଶିକ୍ଷକମାନଙ୍କ ସହ ସମନ୍ବୟ ରକ୍ଷା କରି କାର୍ଯ୍ୟକ୍ରମର ସୁଚାରୁ କାର୍ଯ୍ୟାନ୍ବୟନ, ଛାତ୍ରୀଛାତ୍ରଙ୍କ ଶିକ୍ଷଣ ପ୍ରଗତିର ସମୀକ୍ଷା କରାଯିବ। ପ୍ରତ୍ୟେକ ଗସ୍ତ ସମୟରେ ନିଆଯାଇଥିବା ଶ୍ରେଣୀ ଓ କାର୍ଯ୍ୟକଳାପର ସଂକ୍ଷିପ୍ତ ବିବରଣୀ ରଖିବା ସହ ଅଧିକାରୀମାନେ ନିଜ ଗସ୍ତ ଓ ଛାତ୍ରୀଛାତ୍ରଙ୍କ ପ୍ରଗତି ସମ୍ପର୍କରେ ରିପୋର୍ଟ ଦାଖଲ କରିବେ। ‘ସମ୍ଭାବନା-୨୦୨୭’ ମାଧ୍ୟମରେ ଛାତ୍ରୀଛାତ୍ରଙ୍କ ଶିକ୍ଷଣ ଦକ୍ଷତା, ଆତ୍ମବିଶ୍ୱାସ ଓ ଭବିଷ୍ୟତ ପ୍ରସ୍ତୁତିକୁ ସୁଦୃଢ଼ କରିବା ଏହି ପଦକ୍ଷେପର ମୁଖ୍ୟ ଲକ୍ଷ୍ୟ।