ଦିଗପହଣ୍ଡି,୧୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶନିବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଏବଂ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାମାଜିକ ସମୀକ୍ଷା ଉତ୍ତରଦାୟିତ୍ୱ ଓ ସ୍ବଚ୍ଛତା ସମିତି ଆନୁକୂଲ୍ୟରେ ଆୟୋଜିତ ଶିବିରରେ ଅତିରିକ୍ତ ଜିଲାପାଳ ପ୍ରମୋଦ କୁମାର ପୃଷ୍ଟି ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଜିଲା ସାମାଜିକ ସମୀକ୍ଷକ ରବୀନ୍ଦ୍ରନାଥ ମଲାଣ, ବ୍ଲକ ହିସାବ ରକ୍ଷକ ସଞ୍ଜିତ ସୁମନ, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କୋରେଶୁ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ। ସାନଖେମୁଣ୍ଡି ବ୍ଲକରେ ୨୦୨୫-୨୬ ଆର୍ଥିକ ବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ସୁଦ୍ଧା ଏମ୍ଜିଏନ୍ଆରଜିଏସ୍ ଯୋଜନାରେ କାର୍ଯ୍ୟକାରୀ ହୋଇଥିବା ବିଭିନ୍ନ ଜନ କଲ୍ୟାଣ ଯୋଜନା ଉପରେ ବ୍ଲକ ସାମାଜିକ ସମୀକ୍ଷକ ମନୋଜ କୁମାର ବିଷୋୟୀ ବିବରଣୀ ପାଠ କରିଥିଲେ।
ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମ ଦିବସ ଲକ୍ଷଧାର୍ଯ୍ୟ ୫ଲକ୍ଷ ୨୧ ହଜାର ୭୦୭ ରହିଥିବା ବେଳେ ୬ ଲକ୍ଷ ୨୦ ହଜାର ୮୮୪ ଶ୍ରମ ଦିବସ ସୃଷ୍ଟି କରାଯାଇଛି । ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ୧୧୯ ପ୍ରତିଶତ ହୋଇଛି। ୨୪୪ଜଣ ଶ୍ରମିକ ୧୦୦ ଦିନ କାମ ପାଇଥିବା ନେଇ ଶିବିରରେ ରିପୋର୍ଟ ଉପସ୍ଥାପନ କରାଯାଇଥିଲା।
ଶିବିର ପ୍ରାରମ୍ଭରେ ବ୍ଲକ ଅଧୀନ ୨୬ ପଞ୍ଚାୟତରେ ୧୩୪ଟି ପ୍ରକଳ୍ପ ନିର୍ମାଣ ସ୍ଥଳରେ ସୂଚନା ଫଳକ ନ ଥିବା ସହ ଆବଶ୍ୟକ ମଞ୍ଜୁରୀ ନ ଥାଇ କାମ ନ ହୋଇ ପ୍ରାପ୍ୟ ପ୍ରଦାନ କରାଯାଇଥିବା ନେଇ ଅଭିଯୋଗ ହେବା ପରେ ଅତିରିକ୍ତ ଜିଲାପାଳ ବିରକ୍ତି ପ୍ରକାଶ କରିବା ସହ ୭ ଦିନ ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବାକୁ ତାଗିଦ କରିଥିଲେ। ଅନିୟମିତତା ପ୍ରମାଣିତ ହେଲେ ପ୍ରତି ପଞ୍ଚାୟତ ଦାୟିତ୍ୱରେ ଥିବା ଯନ୍ତ୍ରୀ, ପିଇଓ, ଡିଇଓଙ୍କ ଦରମା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ପାଇଁ କାର୍ଯ୍ୟାଳୟ ପକ୍ଷରୁ କାହାରିକୁ ସୂଚନା ଦିଆଯାଇ ନ ଥିବା ଅଭିଯୋଗ ହୋଇଥିଲା।
ଶିବିରରେ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ଜିଲା ପରିଷଦ ସଦସ୍ୟ ଅନୁପସ୍ଥିତ ଥିବା ବେଳେ ସେମାନଙ୍କ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏନେଇ ଅତିରିକ୍ତ ଜିଲାପାଳ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଶିକ୍ଷା ବିଭାଗ ଅଧୀନରେ ବିଦ୍ୟାଳୟଗୁଡିକରେ ଶୌଚାଳୟ ନିର୍ମାଣ କରାଯାଇଛି। କିନ୍ତୁ ଠିକାଦାରମାନଙ୍କୁ ସେମାନଙ୍କ ପ୍ରାପ୍ୟ ମିଳି ନ ଥିବାରୁ ଶୌଚାଳୟଗୁଡିକରେ ତାଲା ପଡିଛି। ଏନେଇ ଛାତ୍ରୀଛାତ୍ରମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ପ୍ରତି ସ୍କୁଲରେ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା ପାଇଁ ସେ ଉପସ୍ଥିତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପଞ୍ଚାୟତ ଗୁଡିକରେ ନିର୍ମାଣ କାର୍ଯ୍ୟ ହୋଇଥିବା ପ୍ରକଳ୍ପ ବାବଦରେ ମେଟେରିଆଲ ବିଲ ପାସ୍ ସମ୍ପର୍କରେ ଉପସ୍ଥିତ ବ୍ଲକ ଅଧ୍ୟକ୍ଷ ଏବଂ ଜନପ୍ରତିନିଧି ଅତିରିକ୍ତ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଜିଲାପାଳଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ବ୍ଲକ ହିସାବ ରକ୍ଷକ ସଞ୍ଜିତ ସୁମନଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିରରେ ମୃତ୍ତିକା ସଂରକ୍ଷଣ ବିଭାଗ ସହକାରୀ ନିର୍ଦ୍ଦେଶିକା ଇପ୍ଶିତା ମିଶ୍ର, ଦିଗପହଣ୍ଡି ବନ ବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ସମସ୍ତଙ୍କ ସହଯୋଗ ଓ ଭାଗିଦାରୀରେ ଆଗାମୀ ଦିନରେ ଭିଭିଜିରାମଜି ଯୋଜନା କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶିବିରରେ ଡିଇଓ, ଜିଆରଏସ୍, ବିଏଫଟି ବୃନ୍ଦଙ୍କ ସମେତ ବହୁ ସଂଖ୍ୟକ କର୍ମଚାରୀ ଓ ଜନ ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।