ଶୋଇପଡ଼ିଲେ ଅଧିକାରୀ

କାମାକ୍ଷାନଗର, ୬।୧୨(ଡି.ଏନ୍‌.ଏ.): ସମସ୍ୟାର ସମାଧାନ ଆଶା ନେଇ ଦୂରଦୂରାନ୍ତରୁ ଲୋକେ ଆସୁଛନ୍ତି ଜନ ଅଭିଯୋଗ ଶୁଣାଣି ଶିବିରକୁ। ହେଲେ ଉପସ୍ଥିତ ଅଧିକାରୀମାନେ ଜନତାଙ୍କ ଧୈର୍ଯ୍ୟର ପରୀକ୍ଷା ନେଉଛନ୍ତି। ଅଭାବ ଅସୁବିଧା ବୁଝିବା ବଦଳରେ ଚେୟାରରେ ବସିବସି ଶୋଇପଡୁଛନ୍ତି। ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହରେ ସୋମବାର ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଏଭଳି ଅପ୍ରୀତିକର ସ୍ଥିତି ଉପୁଜି ଥିଲା। ଜନଶୁଣାଣି ଚାଲିଥିବାବେଳେ କେତେଜଣ ଅଧିକାରୀ ଢୁଳାଉଥିବା ଜିଲାପାଳ ସରୋଜ କୁମାର ସେଠୀ ଦେଖିବାକୁ ପାଇଥିଲେ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟକ୍ରମରେ ଅଧିକାରୀଙ୍କ ଏଭଳି ମାନସିକତାକୁ ନେଇ ଜିଲାପାଳ କ୍ଷୋଭ ପ୍ରକାଶ କରିଥିଲେ। ଲୋକଙ୍କ କଥା ବୁଝିବା ପାଇଁ ଏହି ଜନ ଶୁଣାଣିର ପରିକଳ୍ପନା। କିନ୍ତୁ ଏଠାରେ ଶୋଇଲେ ଲୋକଙ୍କ ସମସ୍ୟା କିପରି ସମାଧାନ ହେବ ବୋଲି ଜିଲାପାଳ ଉଦ୍‌ବେଗ ବ୍ୟକ୍ତ କରିବା ସହ ସମ୍ପୃକ୍ତ ଅଧିକାରୀଙ୍କୁ ତାଗିଦା କରିଥିଲେ।
ଜନଶୁଣାଣି ଶିବିରରେ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ୍‌ ବିରୋଧରେ ବହୁ ଅଭିଯୋଗ ଆସିଥିଲା। ବାଉଁଶପାଳ, କାନପୁରା ପଞ୍ଚାୟତର ଅପହଞ୍ଚ ଇଲାକାର ବିକାଶ ପାଇଁ ଯେଉଁସବୁ କାର୍ଯ୍ୟ ହେଉଛି, ସେଥିରେ ପଶ୍ଚିମାଞ୍ଚଳ ରେଞ୍ଜ ବାଧକ ସାଜୁଥିବା ଜନପ୍ରତିନିଧି ଏବଂ ଗ୍ରାମବାସୀ ଅଭିଯୋଗ କରିଥିଲେ। ଅଭିଯୋଗ ଶୁଣିବା ପରେ ଜିଲାପାଳ କହିଲେ, ଦୁର୍ଗମ ଅଞ୍ଚଳରେ ଠିକ୍‌ ଭାବେ କାମ ହେଉ। ଲୋକଙ୍କୁ ଅଯଥାରେ ହଇରାଣ ନ କରିବା ପାଇଁ ସେ ରେଞ୍ଜର ବନବିହାରୀ ସର୍ଦ୍ଦାରଙ୍କୁ କହିଛନ୍ତି। ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତା, ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରୱାନ, ମୁଖ୍ୟ ଚିକିତ୍ସାଧିକାରୀ ଅଶୋକ କୁମାର ଦାସ, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ବିଡିଓ ବିକାଶ କୁମାର ମହାନ୍ତି, ତହସିଲଦାର ସାଞ୍ଜଳି ମାଝି, ଅତିରିକ୍ତ ତହସିଲଦାର ଝସକେତନ ନାୟକ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୈଳାସ ବେହେରା, ଗ୍ରିଭାନ୍ସର ଲଳିତ ମାଧବ ଚୌଧୁରୀଙ୍କ ସମେତ ଜିଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।