Categories: ଖେଳ

ଓଏଫ୍‌ସିର ବିଜୟଧାରା ଜାରି

ଭୁବନେଶ୍ୱର,୧୧ା୧(ସରୋଜ ଜେନା): ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ରେ ଅପରାଜେୟ ଧାରା ବଜାୟ ରଖିଛି ଓଡ଼ିଶା ଏଫ୍‌ସି(ଓଏଫ୍‌ସି)। ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଦଳ ୧-୦ରେ ହୋପ୍ସ ଏଫ୍‌ସିକୁ ପରାସ୍ତ କରିଛି। ୪୪ତମ ମିନିଟରେ ପ୍ୟାରୀ ଖାଖା ଏକମାତ୍ର ଗୋଲଟି ସ୍କୋର କରିଥିଲେ।
ଉଭୟ ଦଳ ଆକ୍ରମଣାତ୍ମକ ଢଙ୍ଗରେ ମ୍ୟାଚ୍‌ ଆରମ୍ଭ କରିଥିଲେ। ଷଷ୍ଠ ମିନିଟରେ ଓଏଫ୍‌ସି ପକ୍ଷରୁ ସଞ୍ଜୁ ସ୍କୋରିଂ ସୁଯୋଗ ସୃଷ୍ଟି କରିଥିଲେ। ଲେଫ୍ଟ ଫ୍ଲାଙ୍କରୁ ସଞ୍ଜୁଙ୍କ ପାଶ୍‌କୁ ଓ୍ବିନ୍‌ ହେଡ କରିଥିଲେ ମଧ୍ୟ ସ୍କୋର କରିବାରେ ବିଫଳ ହୋଇଥିଲେ। ଏହାର ଦୁଇ ମିନିଟ୍‌ ପରେ ଆଉ ଏକ ସ୍କୋରିଂ ସୁଯୋଗ ଥିଲେ ମଧ୍ୟ ହୋପ୍ସ ଏଫ୍‌ସି ଡିଫେଣ୍ଡର ଏହାକୁ ରୋକି ଦେଇଥିଲେ। ୨୫ ତମ ମିନିଟରେ ଲିଣ୍ଡା କମ୍‌ ଓ ୨୯ତମ ମିନିଟରେ ସଞ୍ଜୁଙ୍କ ଶଟ୍‌ ରୋକିବାରେ ସଫଳ ହୋଇଥିଲେ ହୋପ୍ସ ଗୋଲକିପର। ୩୬ତମ ମିନିଟ୍‌ରେ ଇନ୍ଦୁମତୀ କାଥିରସେନ ଓ ଓ୍ବିନ୍‌ଙ୍କ ମିଳିତ ପ୍ରୟାସକୁ ହୋପ୍ସ ଡିଫେଣ୍ଡର ରୋକି ଦେଇଥିଲେ। ତେବେ ୪୪ତମ ମିନିଟ୍‌ରେ ଓଏଫ୍‌ସି ପକ୍ଷରୁ ନିର୍ଣ୍ଣାୟକ ଗୋଲ ସ୍କୋର କରିଥିଲେ ପ୍ୟାରୀ ଖାଖା। ରାଇଟ୍‌ ଫ୍ଲାଙ୍କରୁ ଓ୍ବିନଙ୍କ କ୍ରସ୍‌କୁ ଗୋଲରେ ପରିଣତ କରି ସେ ଓଏଫ୍‌ସିକୁ ଆଗୁଆ କରିଥିଲେ। ଦ୍ୱିତୀୟାର୍ଦ୍ଧରେ ଗୋଲ ପରିଶୋଧ ପାଇଁ ଉଦ୍ୟମ କରିଥିଲେ ମଧ୍ୟ ହୋପ୍ସ ସଫଳ ହୋଇ ନ ଥିଲା। ଓଏଫ୍‌ସି ଏହାର ପରବର୍ତ୍ତୀ ମ୍ୟାଚ୍‌ ୧୮ ଜାନୁଆରୀରେ ଇଷ୍ଟବେଙ୍ଗଲ ବିପକ୍ଷରେ ଖେଳିବ।

Share