Categories: ଖେଳ

ସିଜନର ଶେଷ ଗେମ୍‌ ଖେଳିବ ଓଏଫ୍‌ସି: ବିଜୟ ସହ ପ୍ଲେ ଅଫ୍‌ ଲକ୍ଷ୍ୟ

ଭୁବନେଶ୍ୱର,୨୨।୨(ସ୍ପୋଟର୍‌ସ ବ୍ୟୁରୋ): ଇଣ୍ଡିଆନ୍‌ ସୁପର ଲିଗ୍‌ରେ ସିଜନର ନିଜର ଅନ୍ତିମ ମ୍ୟାଚ ଜାମସେଦପୁର ଏଫ୍‌ସି ବିପକ୍ଷରେ ଖେଳିବ ଓଡ଼ିଶା ଏଫ୍‌ସି (ଓଏଫ୍‌ସି)। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଏହି ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତିଲେ କିମ୍ବା ଡ୍ର ରଖିଲେ ଓଏଫ୍‌ସି ପ୍ଲେ ଅଫ୍‌ରେ ପ୍ରବେଶ କରିବ। ଏହି ମ୍ୟାଚ ପୂର୍ବରୁ ଓଡ଼ିଶା ୧୯ ମ୍ୟାଚରୁ ୯ ବିଜୟ ଓ ୩ ଡ୍ର ସହିତ ୩୦ ପଏଣ୍ଟ ହାସଲ କରି ପଏଣ୍ଟ ଟେବଲର ଷଷ୍ଠ ସ୍ଥାନରେ ରହିଛି। ଗୋଆ ଏଫ୍‌ସି ସମାନ ସଂଖ୍ୟକ ମ୍ୟାଚ ଖେଳି ୨୭ ପଏଣ୍ଟ ପାଇଥିବା ବେଳେ ଗୋଲ ବ୍ୟବଧାନରେ ଆଗୁଆ ରହିଛି। କଳିଙ୍ଗ ଷ୍ଟାଡିୟମରେ ଓଏଫ୍‌ସିର ରେକର୍ଡ ବଢିଆ ରହିଥିବା ବେଳେ ଆଉ ଏକ ୩ ପଏଣ୍ଟ ହାସଲ ଲକ୍ଷ୍ୟରେ ରହିଛି ଦଳ। ନର୍ଥଇଷ୍ଟ ବିପକ୍ଷ ଶେଷ ମ୍ୟାଚରେ ଓଡ଼ିଶା ୩-୧ରେ ଜିତିବା ସହ ପ୍ଲେ ଅଫ୍‌ ଦାବିଦାରୀ ଦୃଢ କରିଥିଲା। ଉଭୟ ଓଡ଼ିଶା ଓ ଜାମସେଦପୁର ମଧ୍ୟରେ ଖେଳା ଯାଇଥିବା ଶେଷ ମ୍ୟାଚକୁ ଓଏଫ୍‌ସି ୩-୨ରେ ଜିତିଥିଲା। ମ୍ୟାଚ୍‌ ପୂର୍ବରୁ ମଙ୍ଗଳବାର ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ ମୁଖ୍ୟ କୋଚ ଯୋଶେପ୍‌ ଗୋମ୍ବାଉ ଓ ଲାଲଥୁଆମ୍ମଓ୍ବିଆ ରାଲ୍‌ଟେ ଏକ ଖବରଦାତା ସମ୍ମିଳନୀରେ ଯୋଗ ଦେଇଥିଲେ। ଓଏଫ୍‌ସି ସମ୍ମୁଖରେ ଯୋଗ୍ୟତା ଅର୍ଜନର ଏକ ବଢିଆ ସୁଯୋଗ ରହିଛି। ଜେଏଫ୍‌ସି ଶେଷ ମ୍ୟାଚରେ ହାଇଦ୍ରାବାଦ ଏଫ୍‌ସିକୁ ୩-୨ରେ ପରାସ୍ତ କରିଥିଲା। ଏହା ଏକ ଶକ୍ତିଶାଳୀ ଦଳ ଏଥିରେ କୌଣସି ଶଙ୍କା ନାହିଁ ମାତ୍ର ଅନ୍ତିମ ଘରୋଇ ମ୍ୟାଚକୁ ଜିତିବା ପାଇଁ ଆମେ ପ୍ରାଣପଣେ ଚେଷ୍ଟା କରିବୁ ବୋଲି କହିଛନ୍ତି ଓଡ଼ିଶା ଏଫ୍‌ସି ମୁଖ୍ୟ କୋଚ୍‌ ଯୋଶେପ୍‌ ଗୋମ୍ବାଉ। ଲାଲଥୁଆମ୍ମଓ୍ବିଆ ରାଲ୍‌ଟେ କହିଛନ୍ତି ବୁଧବାର ମ୍ୟାଚ ପାଇଁ ଆମେ ଏକ ସପ୍ତାହ ହେଲାଣି ଅଭ୍ୟାସ ଜାରି ରଖିଛୁ। କୋଚ୍‌ଙ୍କ ପରାମର୍ଶ ଅନୁସାରେ ଆମେ ଶତ ପ୍ରତିଶତ ଦେବାକୁ ପ୍ରୟାସ କରିଥାଉ ବୋଲି ସେ କହିଛନ୍ତି।

Share