Categories: ଖେଳ

ମୁଖ୍ୟମନ୍ତ୍ରୀଙ୍କୁ ଓଏଫ୍‌ସି ଜର୍ସି ଉପହାର

ଭୁବନେଶ୍ୱର,୧୫ା୯(ସରୋଜ ଜେନା):ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଆରମ୍ଭ ହେବାକୁ ଯାଉଥିବା ବେଳେ ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଓଡ଼ିଶା ଫୁଟବଲ୍‌ କ୍ଲବ(ଓଏଫ୍‌ସି) ମୁଖ୍ୟ କୋଚ ଓ ଅଧିନାୟକ। ଗୁରୁବାର ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା, ଗୋଲ୍‌କିପର ତଥା ଅଧିନାୟକ ଅମରିନ୍ଦର ସିଂ ଓ ଓଡ଼ିଆ ଖେଳାଳି ଟଙ୍କଧର ବାଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହିତ ଓଏଫ୍‌ସିର ଜର୍ସି ଉପହାର ଭାବରେ ପ୍ରଦାନ କରିଥିଲେ। ବିଗତ ସିଜନରେ ଓଏଫ୍‌ସିର ଚମତ୍କାର ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଏଫ୍‌ସିକୁ ଶୁଭେଚ୍ଛା ଜଣାଇଥିଲେ। ଫୁଟବଲର ଭିତ୍ତିଭୂମି ଓ ଖେଳାଳିଙ୍କ ଉଦ୍ଦେଶ୍ୟରେ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟ କୋଚ୍‌ ସର୍ଗିଓ ଲୋବେରା ଓ ଅଧିନାୟକ ଅମରିନ୍ଦର ସିଂ। ଚଳିତ ମାସ ୧୯ ତାରିଖରେ ଏଏଫସି ଏସିଆନ୍‌ ଗେମ୍ସରେ ମୋହନବାଗାନର ମୁକାବିଲା କରିବ ଓଡ଼ିଶା ଏଫ୍‌ସି। କଳିଙ୍ଗ ଷ୍ଟାଡିୟମରେ ଏହି ମ୍ୟାଚ୍‌ଟି ଖେଳାଯିବ। ଚଳିତ ସିଜନରେ ଓଏଫ୍‌ସି ୩ଟି ରଙ୍ଗର ଜର୍ସି ଲଞ୍ଚ କରିଛି। ଘରୋଇ ମ୍ୟାଚ୍‌ ପାଇଁ କଳା ଓ ବାଇଗଣୀ ଜର୍ସି ରହିଥିବା ବେଳେ ଧଳା ରଙ୍ଗର ଜର୍ସି ଆଓ୍ବେ ମ୍ୟାଚରେ ବ୍ୟବହୃତ ହେବ। ସେହିପରି ଶିମିଳିପାଳର ବ୍ୟାଘ୍ର ସୁରକ୍ଷାକୁ ଦୃଷ୍ଟିରେ ରଖି ହଳଦିଆ ଓ ବାଇଗଣୀ ରଙ୍ଗର ତୃତୀୟ ଜର୍ସି ଲଞ୍ଚ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କୁ ଗୁରୁବାର ଓଏଫ୍‌ସି ଦଳର ଘରୋଇ ଜର୍ସି ପ୍ରଦାନ କରାଯାଇଥିଲା।

Share