୩୩ କୋଟି ଲୋକଙ୍କ ମଧ୍ୟରେ ଭାକ୍ସିନ୍‌କୁ ନେଇ ଏବେ ବି ରହିଛି ଦ୍ୱନ୍ଦ…

ନୂଆଦିଲ୍ଲୀ,୨୭।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶର ୯୪ କୋଟି ଜନସଂଖ୍ୟାଙ୍କୁ ଭାକ୍ସିନ୍‌ ପ୍ରଦାନ ନେଇ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏବେ ମଧ୍ୟ ଦେଶର ୩୩ କୋଟି ଲୋକଙ୍କ ମଧ୍ୟରେ ଭାକ୍ସିନ୍‌କୁ ନେଇ ଦ୍ୱନ୍ଦ ରହିଛି। ସେମାନଙ୍କ ଭାକ୍ସିନ୍‌ ଉପରେ ପୂର୍ଣ୍ଣ ଭରସା ହେଉନାହିଁ। ଏସମ୍ପର୍କରେ ସର୍ଭେ ଏଜେନ୍ସି ଲୋକାଲ୍‌ ସର୍କଲ ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ସର୍ଭେରେ ଦେଶର ୨୭୯ ଜିଲାର ୯ ହଜାର ଲୋକଙ୍କୁ ସାମିଲ୍‌ କରାଯାଇଥିଲା। ସର୍ଭେରେ ୬୫ ପ୍ରତିଶତ ପୁରୁଷ ଏବଂ ୩୫ ପ୍ରତିଶତ ମହିଳା ଅଂଶଗ୍ରହଣ କରିଥିଲେ। ସାମିଲ୍‌ ହୋଇଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀ ସହରର ୪୮ ପ୍ରତିଶତ, ଦ୍ୱିତୀୟ ଶ୍ରେଣୀ ସହରର ୨୪ ପ୍ରତିଶତ, ତୃତୀୟ-ଚତୁର୍ଥ ଏବଂ ଗ୍ରାମୀଣ ଅଞ୍ଚଳର ୨୮ ପ୍ରତିଶତ ଥିଲେ। ୨୦ କୋଟି ଲୋକ ଶୀଘ୍ର ଭାକ୍ସିନ୍‌ ନେବାକୁ ଚିନ୍ତା କରୁଥିବାବେଳେ ୧୬ କୋଟିଙ୍କର ଭାକ୍ସିନ୍‌ ପ୍ରତି ଭରସା ନାହିଁ। ସର୍ଭେ ରିପୋର୍ଟରେ ଆସନ୍ତା ଦୁଇମାସ ମଧ୍ୟରେ ଦେଶରେ ତୃତୀୟ ଲହର ଆସିବାର ଆଶଙ୍କା ନେଇ ଦର୍ଶାଯାଇଛି।

Share