ବାତ୍ୟା ଆଶଙ୍କାରେ ଖାଉଟି ସାମଗ୍ରୀର କଳାବଜାର

ଧର୍ମଶାଳା,୭ା୫(ଡି.ଏନ.ଏ.): ସମ୍ଭାବ୍ୟ ବାତ୍ୟାକୁ ନେଇ ଲୋକେ ଭୟଭୀତ ହୋଇ ପଡ଼ିଲେଣି। ବାତ୍ୟାର ପ୍ରଭାବ କିପରି ରହିବ ତାହାକୁ ନେଇ ସମସ୍ତଙ୍କ ଚିନ୍ତା ବଢ଼ିଲାଣି। ତେବେ ଏହାର ସୁଯୋଗରେ ଧର୍ମଶାଳା ବ୍ଲକ୍‌ ଅଞ୍ଚଳରେ କେତେଜଣ ଅସାଧୁ ବ୍ୟବସାୟୀ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି କରିବା ସହ କଳାବଜାର ଆରମ୍ଭ କରିଦେଇଛନ୍ତି। ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଡିପଡିପ୍ରେଶନରେ ପରିଣତ ହୋଇ ପରବର୍ତ୍ତୀ ସମୟରେ ଏହା ବାତ୍ୟା ରୂପ ନେଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଏହି ବାତ୍ୟାର ରୂପରେଖ କ’ଣ ରହିବ ଏବଂ ଏହା କେଉଁଠାରେ ସ୍ଥଳଭାଗ ଛୁଇଁବ ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରାଯାଉଛି। ସେହିପରି କେତେ ବେଗରେ ପବନ ବହିବ ଏବଂ ଲ୍ୟାଣ୍ଡଫଲ ସମୟରେ ଏହାର ପ୍ରଭାବ କିପରି ରହିବ ଏସବୁ ଏବେ ଅସ୍ପଷ୍ଟ ରହିଛି। ତେବେ ଗଣମାଧ୍ୟମରେ ବାତ୍ୟା ଆଶଙ୍କା ନେଇ ପ୍ରଚାର ଜୋରଧରିଥିବାରୁ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଦୋକାନ ଗୁଡ଼ିକରେ ଭିଡ଼ ଜମାଉଛନ୍ତି। ଲୋକଙ୍କ ଚାହିଦାକୁ ଦେଖି ବ୍ୟବସାୟୀ ବିଭିନ୍ନ ସାମଗ୍ରୀରେ କଳାବଜାର ଆରମ୍ଭ କରିଦେଇଛନ୍ତି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର ଯୋଗୁ ଅହେତୁକ ମୂଲ୍ୟ ବୃଦ୍ଧି ହେଉଛି, ଯାହାକୁ ନେଇ ଖାଉଟି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ୟପଟେ କଳାବଜାର ରୋକିବା ଲାଗି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ତାହା ଠିକ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ ବୋଲି ଅଭିଯୋଗ ହୋଇଛି। ତେଣୁ କଳାବଜାର ରୋକିବା ଦିଗରେ ଜିଲା ପ୍ରଶାସନ ପଦକ୍ଷେପ ନେବାକୁ ଦାବି ହୋଇଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଧର୍ମଶାଳା ବ୍ଲକ ପ୍ରଶାସନ ପ୍ରସ୍ତୁତ ରହିଥିବା ବିଡିଓ ଅରବିନ୍ଦ ବେହେରା ସୂଚନା ଦେଇଛନ୍ତି।