ଓଡ଼ିଶାର ସୋଏବ ଏନ୍‌ଇଇଟି ଟପ୍ପର

ଭୁବନେଶ୍ୱର, ୧୭।୧୦(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଦ୍ୱାରା ପରିଚାଳିତ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ଏନ୍‌ଇଇଟି)-୨୦୨୦ ଫଳ ଶୁକ୍ରବାର ପ୍ରକାଶ ପାଇଛି। ଓଡ଼ିଶାର ସୋଏବ ଅଫ୍‌ତାବ ଦେଶରେ ଟପ୍ପର ହୋଇଛନ୍ତି। ଦିଲ୍ଲୀର ଆକାଂକ୍ଷା ସିଂ ଦ୍ୱିତୀୟ ସ୍ଥାନରେ ରହିଥିବାବେଳେ ତେଲାଙ୍ଗାନାର ତୁମ୍ମଲା ସ୍ନିକିଠା ତୃତୀୟ ହୋଇଛନ୍ତି। ତେବେ ସୋଏବ ମୋଟ ୭୨୦ରୁ ୭୨୦ ନମ୍ବର(୧୦୦%) ରଖି ସର୍ବଭାରତୀୟ ସ୍ତରରେ ର଼୍ୟାଙ୍କ ୧ ହାସଲ କରିବାର ବିରଳ କୃତିତ୍ୱ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ ଏନ୍‌ଇଇଟିରେ କୌଣସି ଛାତ୍ର ଶତପ୍ରତିଶତ ନମ୍ବର ରଖି ନ ଥିଲେ। ସେହିଭଳି ଏନ୍‌ଇଇଟି ଟପ୍ପର ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ ଛାତ୍ର। ସୋଏବଙ୍କ ଏହି ସଫଳତା କେବଳ ଓଡ଼ିଶା ପାଇଁ ଗୌରବ ଆଣିଦେଇନି, ବରଂ ଦେଶ ପାଇଁ ନୂଆ ଇତିହାସ ସୃଷ୍ଟି କରିଛି। ୨ ରେକର୍ଡ ଭାଙ୍ଗିଥିବା ଏହି ୧୮ବର୍ଷୀୟ ମେଧାବୀ ଛାତ୍ରଙ୍କ ଘର ରାଉରକେଲାରେ ହୋଇଥିବାବେଳେ ପାଠପଢ଼ା ପାଇଁ ସେ ରାଜସ୍ଥାନର କୋଟାରେ ରହୁଛନ୍ତି। କୋଟାର ଏକ କୋଚିଂ ସେଣ୍ଟରରେ ସେ ନାମ ଲେଖାଇ ଏନ୍‌ଇଇଟି ପାଇଁ ନିଜକୁ  ପ୍ରସ୍ତୁତ କରୁଥିଲେ। ତାଙ୍କ ବାପା ଜଣେ ବ୍ୟବସାୟୀ ହୋଇଥିବାବେଳେ ସେ ରାଉରକେଲାରେ ରୁହନ୍ତି। କିନ୍ତୁ ପାଠପଢା ଓ କ୍ୟାରିୟର ପାଇଁ ମା’ତାଙ୍କୁ ରାଜସ୍ଥାନ ନେଇଥିଲେ। ତେବେ ସେ ଦିଲ୍ଲୀ ଏମ୍ସରେ ପଢ଼ିବାକୁ ଲକ୍ଷ୍ୟ ରଖିବା ସୋଏବ୍‌ କହିଛନ୍ତି।
ସୂଚନାଯୋଗ୍ୟ, ଏନ୍‌ଇଇଟି ଦୁଇଟି ପର୍ଯ୍ୟାୟରେ ହୋଇଥିଲା। କୋଭିଡ୍‌ କଟକଣା ଭିତରେ ଦେଶରେ ମୋଟ ୧୩,୬୬,୯୪୫ଜଣ ପରୀକ୍ଷା ଦେଇଥିବାବେଳେ ୭,୭୧,୫୦୦ଜଣ ସଫଳତା ପାଇଛନ୍ତି। ସେହିପରି ଓଡ଼ିଶାରୁ ପରୀକ୍ଷା ଦେଇଥିବା ୩୩,୯୪୫ଣଙ୍କ ମଧ୍ୟରୁ ୨୦,୬୫୪ଜଣ କୃତକାର୍ଯ୍ୟ ହୋଇଛନ୍ତି।
ଅନ୍ୟପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଟୁଇଟ୍‌ କରି ସୋଏବ୍‌ଙ୍କ ସମେତ ସମସ୍ତ ସଫଳ ପରୀକ୍ଷାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଯେଉଁମାନେ ସଫଳ ହୋଇପାରିନାହାନ୍ତି ସେମାନଙ୍କୁ ନିରାଶ ନ ହେବା ପାଇଁ ସେ ପରାମର୍ଶ ଦେଇଛନ୍ତି। ଗୋଟିଏ ପରୀକ୍ଷାରେ ବିଫଳତା କେବେବି ଭାଗ୍ୟ ନିର୍ଦ୍ଧାରଣ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଏଥିସହିତ ସଫଳ ପରୀକ୍ଷା ପରିଚାଳନା ପାଇଁ ଏନ୍‌ଟିଏ ମହାନିର୍ଦ୍ଦେଶକ ଓ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।