Categories: ଖେଳ

ଓଡ଼ିଶାର ଦ୍ୱିତୀୟ ବିଜୟ

ଭୁବନେଶ୍ୱର, ୧୬।୨ (କ୍ରୀଡ଼ା ପ୍ରତିନିଧି): ରାଜସ୍ଥାନର ଆଜମେର୍‌ରେ ଲରେନ୍ସ ମେୟର ପବ୍ଲିକ୍‌ ସ୍କୁଲ ଗ୍ରାଉଣ୍ଡରେ ଚାଲିଥିବା ଜାତୀୟ ଟି୨୦ ଦୃଷ୍ଟିବାଧିତ ନାଗେଶ ଟ୍ରଫି କ୍ରିକେଟ ଟୁର୍ନାମେଣ୍ଟରେ ଓଡ଼ିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚରେ ତେଲଙ୍ଗାନାକୁ ୧୯୧ ରନ୍‌ରେ ହରାଇଥିବା ଓଡ଼ିଶା ବୁଧବାର ନିଜର ଦ୍ୱିତୀୟ ମ୍ୟାଚରେ ଦିଲ୍ଲୀକୁ ୬୫ ରନରେ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଓଡ଼ିଶା ଲିଙ୍ଗରାଜ ରାଉତରାଙ୍କ ଶତକ ସହାୟତାରେ ୨୦ ଓଭରରେ ୨ ଉଇକେଟ ହରାଇ ୨୬୨ ରନ କରିଥିଲା। ଲିଙ୍ଗରାଜ ୬୨ ବଲ୍‌ରୁ ୧୦୭, ସୁଖରାମ ମାଝି ୪୫ ଓ ଜାଫର ଇକବାଲ ୩୬ ରନ ସ୍କୋର କରିଥିଲେ। ଜବାବରେ ଦିଲ୍ଲୀ ୨୦ ଓଭରରେ ୫ ଉଇକେଟ ହରାଇ ୧୯୭ ରନ କରିବାକୁ ସକ୍ଷମ ହୋଇଥିଲା। ବିଜୟୀ ଦଳର ତପନ କୁମାର ଗୌଡ଼ ୨ଟି ଏବଂ କାଳିଆ ପ୍ରଧାନ ଗୋଟିଏ ଉଇକେଟ ନେଇଥିଲେ। ନଗେଶ ଟ୍ରଫିରେ ପ୍ରଥମ ଶତକ ହାସଲ କରିଥିବା ଲିଙ୍ଗରାଜ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ଓଡ଼ିଶା ଏହାର ତୃତୀୟ ଲିଗ୍‌ ମ୍ୟାଚରେ ଗୁରୁବାର ଜମ୍ମୁ-କଶ୍ମୀରକୁ ଭେଟିବ।

Share