‘ଓଡ଼ିଶାର ସବୁଜିମା ବିମୋହିତ କରିଛି’

ଢେଙ୍କାନାଳ,୧ା୧୨(ରତନ ନାୟାର):ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ସାଇମନ ଆଣ୍ଡରସନ୍‌(୭୦) ଓ ଏକ୍‌ଜାନିଆ ହେନେରୀ(୬୦) ବାଇକ୍‌ରେ ଭାରତ ଭ୍ରମଣ କରୁଛନ୍ତି। ଏହି ଅବସରରେ ଦୁହେଁ ଗୁରୁବାର ଢେଙ୍କାନାଳ ସହରରେ ପହଞ୍ଚି ବୋରାପଦାସ୍ଥିତ ଗଜଲକ୍ଷ୍ମୀ ପ୍ୟାଲେସରେ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୧୨ ହଜାର କିଲୋମିଟର ଅତିକ୍ରମ କରିଥିବା ଏହି ଦମ୍ପତି ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲିବା ସହ ସବୁଜିମାମୟ ପରିବେଶ ଦେଖି ବିମୋହିତ ହୋଇଥିବା ପ୍ରକାଶ କରିଛନ୍ତି।
ସାଇମନ ଓ ଏକ୍‌ଜାନିଆ କହିଛନ୍ତି, ଭାରତକୁ ବେଶ୍‌ ଭଲ ପାଉ। ସେଥିପାଇଁ ବାଇକ୍‌ରେ ଏହି ଦେଶ ପରିଭ୍ରମଣ କରିବା ବହୁତ ଆନନ୍ଦ ଦେଉଛି ା ଓଡ଼ିଶାର ଶିମିଳିପାଳ, ମନ୍ଦରମାଣି ଓ ଢେଙ୍କାନାଳର ବିଭିନ୍ନ ଅଞ୍ଚଳ ପରିଭ୍ରମଣ କରିଛୁ। ଏହାର ସବୁଜିମା, ଘନଜଙ୍ଗଲ ଓ ପାହାଡ଼ ପ୍ରକୃତିର ବରଦାନ। ସହରର କୋଳାହଳ ଠାରୁ ଗ୍ରାମାଞ୍ଚଳ ଓ ଏହାର ସବୁଜ ପରିବେଶ ବହୁତ ଭଲ। ପଞ୍ଜାବ ଓ ହରିୟାଣାର ଲୋକମାନେ ନୂଆ ଲୋକଙ୍କୁ ଦେଖିଲେ ତାଙ୍କ ବିଷୟରେ ଜାଣିବାକୁ ଚାହାନ୍ତି। ସେଲଫି ନେବାକୁ ପସନ୍ଦ କରନ୍ତି। କିନ୍ତୁ ଓଡ଼ିଶାର ଲୋକମାନେ ନିଜ କାମକୁ ଅଧିକ ପସନ୍ଦ କରନ୍ତି। ୨୦ବର୍ଷ ତଳେ ଦେଖିଥିବା ଭାରତ ଓ ଆଜିର ଭାରତ ବହୁତ ଭିନ୍ନ। ଆଜିର ଯୁବପିଢି ପ୍ରତିଯୋଗିତାମୂଳକ ଯୁଗରେ ନିଜକୁ ସାମିଲ କରିଛନ୍ତି। ବର୍ତ୍ତମାନ ସେମାନେ ନିଜର ପରିଚୟ ନିଜେ ସୃଷ୍ଟି କରିବାକୁ ଲାଗି ପଡିଛନ୍ତି। ଢେଙ୍କାନାଳର ବରା, ପୁରି, ଦହି, ପରଟା, ଭାଜି ଓ ସିଙ୍ଗଡା ଖାଇବାକୁ ବହୁତ ଭଲ ଲାଗୁଛି। କଲେଜ ବାଇପାସ ଛକରେ ଜଣେ ମହିଳା ଚା’ ଦୋକାନ କରିଥିବା ଦେଖି ଖୁସି ଲାଗିଲା। ସେଠାରେ ଚା’ ପିଇଲୁ। ଢେଙ୍କାନାଳ ଜଙ୍ଗଲରେ ହାତୀ, ବଡ଼ ସାପ ଦେଖିଲୁ ବୋଲି ନେଦରଲାଣ୍ଡ ଆର୍ମଷ୍ଟ୍ରଙ୍ଗ୍‌ର ଦମ୍ପତି ପ୍ରକାଶ କରିଛନ୍ତି। ଗଜଲକ୍ଷ୍ମୀ ପ୍ୟାଲେସର ସ୍ବତ୍ୱାଧିକାରୀ ଜିତେନ୍ଦ୍ର ପ୍ରସାଦ ସିଂହଦେଓ କହିଛନ୍ତି, ଏହି ବିଦେଶୀ ଦମ୍ପତି ୧୯୭୦ ମସିହାରେ ପ୍ରଥମେ ଭାରତ ଆସିଥିଲେ। ବର୍ତ୍ତମାନ ସେମାନେ ବାଇକ୍‌ରେ ଭାରତ ପରିଭ୍ରମଣ କରୁଛନ୍ତି। ଭାରତକୁ ଅତି ପାଖରୁ ଦେଖିବା ଉଭୟଙ୍କ ଏକ ନିଶାରେ ପରିଣତ ହୋଇଛି। ବିଭିନ୍ନ ଅଞ୍ଚଳର ଲୋକମାନଙ୍କ ଚଳଣି ଓ ଜୀବନ ଜୀବିକା ସମ୍ପର୍କରେ ଅବଗତ ହେଉଛନ୍ତି। ଜଙ୍ଗଲ, ପାହାଡ଼ ପରିବେଶ ଦୁହିଁଙ୍କୁ ବେଶ୍‌ ଭଲଲାଗେ।