Categories: ମେଟ୍ରୋ

ଓଡ଼ିଶାର ପ୍ରଥମ ମହିଳା ଜିଲାପାଳ ଚନ୍ଦ୍ରମଣୀ ନାରାୟଣ ସ୍ବାମୀଙ୍କ ଦେହାନ୍ତ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ଓଡ଼ିଶାର ପ୍ରଥମ ମହିଳା ଜିଲାପାଳ ଚନ୍ଦ୍ରମଣୀ ନାରାୟଣ ସ୍ବାମୀଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ରବିବାର ଦେହାନ୍ତ ହୋଇଛି। ତାଙ୍କୁ ୮୧ବର୍ଷ ହୋଇଥିଲା। ଓଡ଼ିଶା କ୍ୟାଡରର ଆଇଏଏସ୍‌ ଅଫିସର ଚନ୍ଦ୍ରମଣୀ ୧୯୬୪ରେ ପୁରୀ ଜିଲାର ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରେ ଯୋଗଦେଇଥିଲେ। ଏହାପରେ ସେ କଳାହାଣ୍ଡି ଜିଲାପାଳ ଓ ଗଞ୍ଜାମ ଏଡିଏମ୍‌ ଥିଲେ। ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗରେ ବିଭିନ୍ନ ପଦବୀରେ ୭ବର୍ଷ ଓ ସ୍ବାସ୍ଥ୍ୟ ବିଭାଗରେ ୪ବର୍ଷ କାର୍ଯ୍ୟ କରିଥିବାବେଳେ ୬ବର୍ଷ ପାଇଁ ସେଣ୍ଟ୍ରାଲ ଭିଜିଲାନ୍ସକୁ ଡେପୁଟେଶନରେ ଯାଇଥିଲେ। ନବେ ଦଶକରେ ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣର ପ୍ରଶାସନିକ ସଦସ୍ୟା ଭାବେ ଯୋଗଦେଇ ପରେ ଏହାର ଉପାଧ୍ୟକ୍ଷା ଓ ଅଧ୍ୟକ୍ଷା ଭାବେ ସଫଳତାର ସହ କାର୍ଯ୍ୟ ତୁଲାଇଛନ୍ତି। ସେ କୃଷି ବିଭାଗର ବିଭିନ୍ନ ଶାଖାର ୪ଟି ପଦବୀରେ ଥାଇ ୧୯୯୪ରେ ସ୍ବେଚ୍ଛାକୃତ ଅବସର ନେଇଥିଲେ। ତାଙ୍କ ନିଜ ଘର କେରଳ। ଅବସର ପରେ ତାଙ୍କ ଜନ୍ମମାଟିକୁ ନ ଫେରି କର୍ମଭୂମି ଓଡ଼ିଶାରେ ରହିଥିଲେ। କିଛିବର୍ଷ ତଳେ ସେ ତାଙ୍କର ଅର୍ଜିତ ସମ୍ପତ୍ତି ଶ୍ରୀଜଗନ୍ନାଥଙ୍କୁ ଦାନ କରିଦେବା ପାଇଁ ମଧ୍ୟ କର୍ତ୍ତୃପକ୍ଷଙ୍କୁ ବିଧିବଦ୍ଧ ଭାବେ ଲେଖି ଜଣାଇଥିଲେ।