Categories: ଜାତୀୟ

ଅଣଦେଖାରେ ରହିଗଲା ଓଡ଼ିଶାର ଦାବି

ନୂଆଦିଲ୍ଲୀ,୧୦।୮: ଜୁଲାଇ ୧୮ରୁ ଆରମ୍ଭ ହୋଇଥିବା ସଂସଦର ମୌସୁମୀ ଅଧିବେଶନ ଧାର୍ଯ୍ୟ ଦିବସର ୪ଦିନ ପୂର୍ବରୁ ଅର୍ଥାତ୍‌ ଅଗଷ୍ଟ ୮ରେ ଶେଷ ହୋଇଛି। ହେଲେ ଏହି ଅଧିବେଶନ ଓଡ଼ିଶା ପାଇଁ ଫଳପ୍ରଦ ହୋଇପାରିଲା ନାହିଁ। ଓଡ଼ିଶାର ଦାବିଗୁଡ଼ିକ ଅଣଦେଖା ହୋଇ ରହିଗଲା। ଅଧିବେଶନରେ ଓଡ଼ିଶା ବିଧାନ ପରିଷଦ ଗଠନ ଏବଂ ମହିଳା ସଂରକ୍ଷଣ ବିଲ୍‌ ପାସ୍‌ କରିବା ପାଇଁ ବିଜେଡି ପକ୍ଷରୁ ଦାବି କରାଯାଇଥିଲା। ଏପରି କି ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ବିଜେଡି ଉଭୟ ପ୍ରସଙ୍ଗକୁ ଉଠାଇ ଗୃହରେ ପାରିତ କରିବାକୁ ଦାବି କରିଥିଲା। ହେଲେ କୌଣସି ଗୋଟିଏ ବିଲ୍‌ ମଧ୍ୟ ଆଲୋଚନାକୁ ଆସିପାରିଲା ନାହିଁ।
ମୌସୁମୀ ଅଧିବେଶନରେ ରାଜ୍ୟ ସଭାରେ ୭ ଏବଂ ଲୋକ ସଭାରେ ୫ଟି ବିଲ୍‌ ଗୃହୀତ ହୋଇଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ସମସ୍ତ ବିଲ୍‌କୁ ବିଜେଡି ସମର୍ଥନ ଜଣାଇଥିଲା, ହେଲେ ବିଜେଡି ପକ୍ଷରୁ ଦାବି କରାଯାଇଥିବା ବିଧାନ ପରିଷଦ ଗଠନ ଏବଂ ମହିଳା ସଂରକ୍ଷଣ ବିଲ୍‌କୁ କେନ୍ଦ୍ର ସରକାର ଲୋକ ସଭାରେ ଉପସ୍ଥାପନ କରିପାରିଲେ ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅପବ୍ୟବହାର ଏବଂ ଦରଦାମ୍‌ ବୃଦ୍ଧି ପ୍ରସଙ୍ଗରେ ବିରୋଧୀ ଉଭୟ ଗୃହରେ ହଟ୍ଟଗୋଳ କରିବା କାରଣରୁ ଅଧିକାଂଶ ସମୟରେ ଗୃହ ମୁଲତବୀ ରହିଲା। ଫଳରେ ବହୁ ବିଲ୍‌ ଉପସ୍ଥାପିତ ହୋଇପାରିଲା ନାହିଁ। ଦରଦାମ ବୃଦ୍ଧି ସମ୍ପର୍କିତ ଆଲୋଚନା ସମୟରେ ବିଜେଡି ଏମ୍‌ପି କେନ୍ଦ୍ର ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ। ଏପରିକି ବିମୁଦ୍ରୀକରଣକୁ ନେଇ ମଧ୍ୟ ସରକାରଙ୍କୁ ଟାର୍ଗେଟ କରାଯାଇଥିଲା। ନଗଦ କାରବାରକୁ ହ୍ରାସ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କରିଥିଲେ। ହେଲେ ଏବେ ୩୦ଲକ୍ଷ କୋଟିର ନଗଦ କାରବାର ଚାଲିଛି, ଯାହାକି ୨୦୧୬ ପୂର୍ବଠାରୁ ୨ଗୁଣ ବୋଲି ପୁରୀ ଏମ୍‌ପି ପିନାକୀ ମିଶ୍ର କହିଥିଲେ। ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ମଧ୍ୟ ସରକାର ଚିନ୍ତା କରିବାକୁ ମିଶ୍ର କହିଥିଲେ। ସସ୍ମିତ ପାତ୍ର ମହିଳା ସଂରକ୍ଷଣ ବିଲ ପାସ୍‌ କରିବାକୁ ଦାବି କରିଥିଲେ। ଏମ୍‌ପି ଚନ୍ଦ୍ରଶେଖର ସାହୁ ଭୁବନେଶ୍ୱରରୁ ଶିରିଡି ଏବଂ ଡେରାଡୁନ୍‌କୁ ସିଧା ସଳଖ ବିମାନ ଚଳାଚଳ ଦାବି ଉଠାଇଥିବାବେଳେ ଏମ୍‌ପି ଚନ୍ଦ୍ରାଣୀ ମୁର୍ମୁ ଜନଶୁଣାଣି ସମୟରେ ଜନପ୍ରତିନିଧିମାନଙ୍କୁ ଭାଗ ନେବାକୁ ଅନୁମତି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ଅପରପକ୍ଷରେ ଭାଜପା ଏମ୍‌ପି ସୁରେଶ ପୂଜାରୀ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାରଙ୍କ ସହଯୋଗ ଚାହିଁଥିଲେ। ଏମ୍‌ପି ବସନ୍ତ ପଣ୍ଡା ତାଙ୍କ ସଂସଦୀୟ କ୍ଷେତ୍ରର ବିଭିନ୍ନ ପ୍ରସଙ୍ଗ ଉଠାଇବା ସହ ରାଜ୍ୟର ବହୁ ମନ୍ଦିରକୁ ସଂରକ୍ଷିତ ଐତିହ୍ୟ ତାଲିକାରେ ସ୍ଥାନିତ କରିବାକୁ ଦାବି କରିଥିଲେ।

Share