ତାମିଲନାଡ଼ୁରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ

ନନ୍ଦପୁର,୨୫ା୪(ଡି.ଏନ୍‌.ଏ.): ତାମିଲନାଡ଼ୁରେ ଏକ ପଥର ଖାଦାନରେ କାର୍ଯ୍ୟ କରୁଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କୋରାପୁଟ ଜିଲା ନନ୍ଦପୁର ବ୍ଲକ ହିକିମପୁଟ ପଞ୍ଚାୟତ ମାରଡ଼ା ଗ୍ରାମର ନରସିଂହ କଅଁର(୨୮)। ରବିବାର ଅପରାହ୍ନରେ ନରସିଂହ ପଥର ଖାଦାନରେ କାମ କରୁଥିବା ବେଳେ ପଥର ତଳେ ଚାପି ହୋଇଯିବାରୁ ମୃତ୍ୟୁ ଘଟିଥିଲା। ନରସିଂହଙ୍କ ବାପା ସୀତାରାମ କଅଁର ଏହି ସୂଚନା ପାଇବା ପରେ ଜିଲା ଶ୍ରମ ବିଭାଗର ଅଧିକାରୀଙ୍କୁ ଜଣାଇଥିଲେ। ପରେ ଜିଲା ପ୍ରଶାସନ ତରଫରୁ ତାମିଲନାଡୁ ପ୍ରଶାସନ ସହ ଯୋଗାଯୋଗ କରାଯାଇ ସୋମବାର ଖାଦାନରୁ ମୃତଦେହ ବାହାର କରାଯାଇଛି। ସେଠାରେ ବ୍ୟବଚ୍ଛେଦ ପରେ ମୃତଦେହକୁ ମାରଡ଼ା ଗ୍ରାମକୁ ଅଣାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ମୃତଦେହକୁ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବେଙ୍ଗାଲୁରୁ ବିମାନ ବନ୍ଦରକୁ ଅଣାଯିବ। ସେଠାରୁ ରାତି ୩ଟା ୩୦ରେ ବିମାନରେ ବିଶାଖାପାଟଣା ବିମାନ ବନ୍ଦରକୁ ଆସିବ। ସେଠାରେ ଅପେକ୍ଷା କରିଥିବା ଜିଲା ପ୍ରଶାସନର ଆମ୍ବୁଲାନ୍ସ ଯୋଗେ ନରସିଂହଙ୍କ ମୃତଦେହ ନିଜ ଗ୍ରାମ ମାରଡ଼ାକୁ ଅଣାଯିବା ବ୍ୟବସ୍ଥା ହୋଇଥିବା ଜିଲା ଶ୍ରମ ଅଧିକାରୀ ପ୍ରସନ୍ନ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ମୃତଦେହ ପହଞ୍ଚିବା ପରେ ସରକାରୀ ସହାୟତା ଓ କାର୍ଯ୍ୟକରୁ ଥିବା ଖାଦାନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇ ପରିବାରକୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଶ୍ରମ ଅଧିକାରୀ କହିଛନ୍ତି।