ପାକିସ୍ତାନ ଯୁବକଙ୍କ ପ୍ରେମରେ ଓଡ଼ିଶାର ଏହି ମହିଳା, ଭେଟିବା ପାଇଁ ପହଞ୍ଚିଲେ ସୀମାରେ; ଆଉ ତା’ ପରେ…

ଇସଲାମାବାଦ,୮।୪: ସୋସିଆଲ ମିଡିଆ ଜରିଆରେ ଭାରତର ଜଣେ ମହିଳା ପାକିସ୍ତାନର ଯୁବକଙ୍କ ପ୍ରେମରେ ପଡ଼ିଛନ୍ତି। ଏଥିପାଇଁ ଘର ଛାଡ଼ି ପଞ୍ଜାବର ଡେରା ବାବା ନାନକସ୍ଥିତ କରତାପୁର ସୀମାରେ ପହଞ୍ଚିଛନ୍ତି। ଏହି ମହିଳା ଜଣକ ବିବାହିତ ହୋଇଥିବା ବେଳେ ତାଙ୍କର ୫ ବର୍ଷର ଏକ କନ୍ୟା ସନ୍ତାନ ଅଛି। ବିଏସ୍‌ଏଫ୍‌ ଯବାନମାନେ ଏହି ମହିଳାଙ୍କୁ ସନ୍ଦିଗ୍ଧ ଭାବରେ ବୁଲୁଥିବା ଦେଖିଥିଲେ। ମହିଳା କନଷ୍ଟେବଳଙ୍କ ସହାୟତାରେ ବାବା ନାନକ ପୋଲିସ ଜିମା ଦେଇଛନ୍ତି। ଏହି ଘଟଣାରେ ଡିଏସ୍‌ପି କମଲପ୍ରୀତ୍‌ ସିଂହ ଏବଂ ଏସ୍‌ଏଚ୍‌ଓ ଅନିଲ ପାଓ୍ବା କହିଛନ୍ତି, ମହିଳା ଜଣକ ଓଡ଼ିଶାର। ତାଙ୍କର ବୟସ ୨୫। ସେ ୬ ବର୍ଷ ପୂର୍ବରୁ ବିବାହ କରିସାରିଛନ୍ତି। ଗତ ଦୁଇ ମାସ ହେଲା ବାପଘରେ ରହୁଥିଲେ।

ପୋଲିସ କହିଛି, ଏହି ମହିଳା ୨ ବର୍ଷ ତଳେ ନିଜ ମୋବାଇଲରେ‘ଆଜାଦ’ ନାମରେ ଏକ ଆପ୍‌ ଡାଉନଲୋଡ୍‌ କରି ମହମ୍ମଦ ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲେ। ପରେ ଦୁହିଁଙ୍କ ମଧ୍ୟରେ ଫୋନ୍‌ ନମ୍ବର ନେଣଦେଣ ହୋଇଥିଲା। ଏହା ପରେ ପ୍ରତିଦିନ ଫୋନ୍‌ରେ କଥାବାର୍ତ୍ତା କରୁଥିଲେ ଦୁଇଜଣ। ସମ୍ପର୍କ ବଢ଼ିବା ପରେ ଯୁବକ ଜଣକ କରତାପୁର ସାହେବ କରିଡର ରାସ୍ତାରେ ପାକିସ୍ତାନ ଆସିବା ପାଇଁ ଏହି ମହିଳାଙ୍କୁ କହିଥିଲେ। ଏଥିରେ ରାଜି ହୋଇଥିଲେ ସଂପୃକ୍ତା ମହିଳା।

ମହିଳା ଜଣକ ଓଡ଼ିଶାରୁ ବିମାନରେ ଆସି ଅମୃତସରରେ ପହଞ୍ଚିଥିଲେ। ୫ ଏପ୍ରିଲରେ ଗୁରୁଦ୍ୱାରର ଶ୍ରୀହରିମନ୍ଦିରରେ ରହିଥିଲେ। ୬ ଏପ୍ରିଲରେ ବସ୍‌ରେ ଡେରାବାବା ନାନକରେ ପହଞ୍ଚିଥିଲେ। ତେବେ କରୋନା ଯୋଗୁ କରତାପୁର ସୀମା ବନ୍ଦ ଥିଲା। ତେଣୁ ବିନା ପାସ୍‌ପୋର୍ଟରେ ପାକିସ୍ତାନ ଯିବା ସମ୍ଭବ ନୁହେଁ। ଫଳରେ ବିଏସ୍‌ଏଫ୍‌ ଯବାନଙ୍କ ହାତରେ ଧରା ପଡ଼ିଥିଲେ ମହିଳା ଜଣକ।  ପରେ ମହିଳା ଜଣଙ୍କୁ ପୋଲିସ ଜିମା ଦେବା ସହ ପରିବାର ଲୋକଙ୍କୁ ଡାକି ସାଥୀରେ ଆଣିଥିବା ୬ ଭରି ଓଜନର ସୁନା ଅଳଙ୍କାର ହସ୍ତାନ୍ତର କରାଯାଇଛି। ପୋଲିସର ଏହି କାର୍ଯ୍ୟକୁ ସାଧାରଣରେ ବେଶ୍‌ ପ୍ରଶଂସା କରାଯାଉଛି।

Share