୩୫୦୦ କୋଟି ଋଣ କରିବ ଓଡ଼ିଶା

ଭୁବନେଶ୍ୱର,୧୨। ୯(ବ୍ୟୁରୋ):  କୋଭିଡ୍‌-୧୯ ମହାମାରୀ ଯୋଗୁ ରାଜ୍ୟ ଭୟଙ୍କର ଆର୍ଥିକ ସଙ୍କଟ ମଧ୍ୟରେ ଗତିକରୁଛି। ମହାମାରୀ ଯୋଗୁ ଦ୍ରବ୍ୟ ଓ ସେବା ଟିକସ(ଜିଏସ୍‌ଟି) ଆଦାୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏହାକୁ ଭରଣା କରିବା ଲାଗି ଅଣଭାଜପା ରାଜ୍ୟଗୁଡିକ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଥିବା ବେଳେ ଓଡ଼ିଶା ସରକାର ଏହି ଆର୍ଥିକ ଦୁର୍ଗତି ବେଳେ ଋଣ କରି ଜିଏସ୍‌ଟି କ୍ଷତି ନିଜେ ମୁଣ୍ଡାଇବାକୁ ପ୍ରସ୍ତୁତ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ଚଳିତ ବର୍ଷ ଖୋଲା ବଜାରରୁ ୩୫୦୦ କୋଟି ଟଙ୍କା ଋଣ କରିବେ।
୨୦୨୦-୨୧ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିପୂରଣ ଓ କୋଭିଡ୍‌ ସହାୟତା ବାବଦରେ ରାଜ୍ୟ ସରକାରଙ୍କୁ ୨.୩୫ ଲକ୍ଷ କୋଟି ଟଙ୍କା ଦେବାକୁ ଅସମର୍ଥ ହୋଇଛନ୍ତି। ସେହି ବୋଝକୁ କେନ୍ଦ୍ର ସରକାର ଚତୁରତାର ସହ ରାଜ୍ୟଗୁଡିକ ଉପରେ ଲଦିବାକୁ ନିଷ୍ପତ୍ତି ନେଇଛନ୍ତି। ଜିଏସ୍‌ଟି କ୍ଷତି ଭରଣା ଲାଗି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ରାଜ୍ୟଗୁଡିକୁ ୨ଟି ପ୍ରସ୍ତାବ ଦେଇଥିଲା। ସେଥିରୁ ଗୋଟିଏ ବାଛିବା ପାଇଁ ରାଜ୍ୟଗୁଡିକୁ ପରାମର୍ଶ ଦେଇଥିଲା।
ପ୍ରଥମ ପ୍ରସ୍ତାବଟି ଥିଲା, ଭାରତୀୟ ରିଜର୍ଭ ବ୍ୟାଙ୍କ ସହିତ ବୁଝାମଣା କରି କେନ୍ଦ୍ର ସରକାର ସ୍ବତନ୍ତ୍ର ଓ୍ବିଣ୍ଡୋ ଜରିଆରେ ୯୭ ହଜାର କୋଟି ଟଙ୍କା କେନ୍ଦ୍ର ସରକାର ଋଣ କରିବେ। ସେହି ଅର୍ଥ ୨୦୨୨ଜୁନ ସୁଦ୍ଧା କ୍ଷତିପୂରଣ ସେସ୍‌ ପାଣ୍ଠିରୁ ରାଜ୍ୟଗୁଡିକୁ ଜିଏସ୍‌ଟି କ୍ଷତିପୂରଣ ବାବଦରେ ପ୍ରଦାନ କରାଯିବ। ପଞ୍ଚଦଶ ଅର୍ଥ କମିଶନ ଏହାକୁ ରାଜ୍ୟ ପାଇଁ ଋଣ ବୋଝ ଭାବେ ଗ୍ରହଣ କରିବ ନାହିଁ। ମାତ୍ର ଆର୍ଥିକ ଦାୟିତ୍ୱବୋଧତା ଓ ବଜେଟ ପରିଚାଳନା(ଏଫ୍‌ଆର୍‌ବିଏମ୍‌) ଆଇନ ଅନୁଯାୟୀ ରାଜ୍ୟଗୁଡିକୁ ୦.୫ ପ୍ରତିଶତ ରିହାତି ଦେବ। ଅର୍ଥାତ୍‌ କେନ୍ଦ୍ର ସରକାର ଉଭୟ ସୁଧ ଓ ଋଣ ବାବଦ ସମସ୍ତ ଅର୍ଥ ବହନ କରିବେ।
ଦ୍ୱିତୀୟ ପ୍ରସ୍ତାବ ଥିଲା, ସମୁଦାୟ ଜିଏସ୍‌ଟି କ୍ଷତିପୂରଣ ରାଶି ରାଜ୍ୟ ସରକାରମାନେ ଚଳିତ ବର୍ଷ ଖୋଲା ବଜାରରୁ ଆର୍‌ବିଆଇ ସହିତ ବୁଝାମଣା କରି ନିଜେ ଋଣ କରିବେ। ରାଜ୍ୟ ସରକାର ଋଣର ସୁଧ ବହନ କରିବେ ଏବଂ ମୂଳଧନ ୨୦୨୨ ଜୁନ ପରେ କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଯୋଗାଇ ଦେବେ।
ରାଜ୍ୟ ସରକାର ପ୍ରଥମ ପ୍ରସ୍ତାବଟିକୁ ଗ୍ରହଣ କରିଛନ୍ତି। ଏହାଦ୍ୱାରା ୨୦୨୨ ଜୁନ ପରେ କେନ୍ଦ୍ର ସରକାର ସୁଧ ସହିତ ମୂଳ ଭରଣା କରିବେ ବୋଲି ଅର୍ଥ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ଏ ବିଷୟରେ କେନ୍ଦ୍ର ସରକାରଙ୍କ ଖର୍ଚ୍ଚ ବିଭାଗକୁ ସୂଚନା ଦେଇଥିବା ସେ କହିଛନ୍ତି। ରାଜ୍ୟ ସରକାର କୋଭିଡ୍‌ ଯୋଗୁ ହୋଇଥିବା ଜିଏସ୍‌ଟି କ୍ଷତିକୁ ଭରଣା କରିପାରିବେ ବୋଲି ସେ କହିଛନ୍ତି।
ଜିଏସ୍‌ଟି କ୍ଷତିପୂରଣ କରିବା ପାଇଁ ଚଳିତ ବର୍ଷ ୩୫୦୦ କୋଟି ଟଙ୍କା ଋଣ କରିବାକୁ ଅର୍ଥ ବିଭାଗ ନିଷ୍ପତ୍ତି ନେଇଛି। ଏହି ଅର୍ଥ କେନ୍ଦ୍ର ସରକାର ୨୦୨୨ ଜୁନ୍‌ ପରେ ଉଭୟ ସୁଧ ଓ ମୂଳ ସହ ଭରଣା କରିବେ ବୋଲି ଅଧିକାରୀ କହିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ୨୦୧୭ରେ ଜିଏସ୍‌ଟି ଲାଗୁ ହେବାପରେ ୫ ବର୍ଷ ଯାଏ ରାଜ୍ୟର କ୍ଷତିଭରଣା କରିବା ସକାଶେ କେନ୍ଦ୍ର ସରକାର ପ୍ରତିଶ୍ରୁତି ଦେଇଥିଲେ। ବାର୍ଷିକ ୧୪ ପ୍ରତିଶତ ରାଜସ୍ବ ବୃଦ୍ଧି ହିସାବକୁ ନେଇ କେନ୍ଦ୍ର ସରକାର ଜିଏସ୍‌ଟି କ୍ଷତିଭରଣା କରୁଛନ୍ତି। ତେବେ ଚଳିତ ବର୍ଷ ରାଜ୍ୟଗୁଡିକ ଉପରେ ଏହି ବୋଝ ଲଦି ଦେଇଛନ୍ତି। କେନ୍ଦ୍ରର ଏହି ପ୍ରସ୍ତାବକୁ ପଞ୍ଜାବ, କେରଳ, ଛତିଶଗଡ, ତାମିଲନାଡୁ, ମହାରାଷ୍ଟ୍ର, ଦିଲ୍ଲୀ ଓ ପଣ୍ଡିଚେରୀ ଭଳି ରାଜ୍ୟ ଦୃଢ ବିରୋଧ କରିଥିବା ବେଳେ ଓଡିଶା ସରକାର କୌଣସି ପ୍ରତିବାଦ କରି ନ ଥିଲେ। ଅନ୍ୟ ରାଜ୍ୟଗୁଡ଼ିକ ସମୁଦାୟ ଜିଏସ୍‌ଟି କ୍ଷତିପୂରଣ କେନ୍ଦ୍ର ସରକାର ଋଣ କରି ଭରଣା କରନ୍ତୁ ବୋଲି ଦାବି କରିଛନ୍ତି।