Categories: ରାଜ୍ୟ

ପିଏମ୍‌ଏଓ୍ବାଇ-ଅର୍ବାନ ପୁରସ୍କାରରେ ସମ୍ମାନିତ ହେଲା ଓଡ଼ିଶା

ଭୁବନେଶ୍ବର,୨୦ା୧୦(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ଆବାସ ଓ ସହରୀ ବିକାଶ ମନ୍ତ୍ରଣାଳୟ ପ୍ରଦତ୍ତ ପିଏମ୍‌ଏଓ୍ବାଇ-ଅର୍ବାନ ପୁରସ୍କାର ଅନ୍ତର୍ଗତ ସ୍ବତନ୍ତ୍ର ବର୍ଗରେ ଶ୍ରେଷ୍ଠ ନୀତିଗତ ପଦକ୍ଷେପ ନେଇଥିବା ରାଜ୍ୟ ଭାବେ ଓଡ଼ିଶା ପୁରସ୍କାର ଲାଭ କରିଛି। ଗୁଜରାଟର ରାଜକୋଟ୍‌ଠାରେ ବୁଧବାରଠାରୁ ଆରମ୍ଭ ହୋଇଥିବା ତ୍ରିଦିବସୀୟ ଇଣ୍ଡିଆନ ଅର୍ବାନ ହାଉସିଂ କନ୍‌କ୍ଲେଭରେ କେନ୍ଦ୍ର ଆବାସ ଓ ସହରୀ ବିକାଶ ମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏବଂ ଓଡ଼ିଶା ସହରାଞ୍ଚଳ ଗୃହ ନିର୍ମାଣ ମିଶନ ଆବାସର ମିଶନ ନିର୍ଦ୍ଦେଶକ ଦେବାଶିଷ ସିଂହ ମିଳିତ ଭାବେ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ସହରାଞ୍ଚଳର ଭୂମିହୀନ ଗରିବ ବ୍ୟକ୍ତିବିଶେଷଙ୍କୁ ଓଡ଼ିଶା ସରକାର ତାଙ୍କର ଅଗ୍ରଣୀ ଯୋଜନା ଜାଗା ମିଶନ ଜରିଆରେ ସୁରକ୍ଷିତ ଭୂମିସ୍ବତ୍ୱ ଅବଧିର ଅଧିକାର ଯୋଗାଇ ଦେଇଛନ୍ତି। ଏଥିପାଇଁ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ବାନ ଅନ୍ତର୍ଗତ ସହାୟତା ନିମନ୍ତେ ଅନ୍ତର୍ଭୁକ୍ତ କରିବା ଦିଗରେ ନେଇଥିବା ଉଲ୍ଲେଖଯୋଗ୍ୟ ପଦକ୍ଷେପର ସ୍ବୀକୃତି ସ୍ବରୂପ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ପୁରସ୍କାର ମିଳିଛି।