ବାଲେଶ୍ୱର,୧୮।୧୧(ମୃତ୍ୟୁଞ୍ଜୟ ପଟ୍ଟନାୟକ): ସିଆର୍ଏଫ୍ଏମ୍ ଯୋଜନାରେ ୨୫ ଲକ୍ଷ ୩ ହଜାର ୨୪୯ ଟଙ୍କା ସରକାରୀ ଅର୍ଥ ହେରଫେର ମାମଲାରେ ଓଡ଼ିଶା ଭିଜିଲାନ୍ସ ବୁଧବାର ବାଲେଶ୍ୱର ଜିଲାର ଦୁଇ ବରିଷ୍ଠ କୃଷି ଅଧିକାରୀ ଓ ଏକ ଏନ୍ଜିଓର ନିର୍ଦ୍ଦେଶକଙ୍କୁ ଗିରଫ କରିଛି ।
ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ବାଲେଶ୍ୱରର ମୁଖ୍ୟ ଜିଲା କୃଷି ଅଧିକାରୀ ବିଶ୍ୱଜିତ୍ ପଣ୍ଡା, ପୂର୍ବତନ କୃଷି ଜିଲା ଅଧିକାରୀ ସରୋଜ କୁମାର ଗିରି ଓ ଶକ୍ତି ଶିକ୍ଷା ଡେଭଲପ୍ମେଣ୍ଟ ସୋସାଇଟିର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତୁଷାର କାନ୍ତ ବେହେରା। କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ ପକ୍ଷରୁ ବାଲେଶ୍ୱର ଜିଲାରେ କମ୍ପ୍ରିହେନ୍ସିଭ୍ ରାଇସ୍ ଫାଲୋ ମ୍ୟାନେଜ୍ମେଣ୍ଟ (ସିଆର୍ଏଫ୍ଏମ୍) ଯୋଜନାରେ ୧୨ ହଜାର ହେକ୍ଟରରେ ମୁଗ ଓ ୩ ହଜାର ୫୦୦ ହେକ୍ଟରରେ ବିରି ଚାଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଏଥିପାଇଁ ବାରିପଦାର ‘ଶକ୍ତି ଶିକ୍ଷା’ ଡେଭଲପ୍ମେଣ୍ଟ ସୋସାଇଟିକୁ ପ୍ରଫେସନାଲ ଏଜେନ୍ସି ଭାବେ ଚୟନ କରାଯାଇ ଚୁକ୍ତି ହୋଇଥିଲା।
ଯୋଜନା ନିୟମ ଅନୁସାରେ ଏନ୍ଜିଓକୁ ହିତାଧିକାରୀ ଚୟନ, କ୍ଲଷ୍ଟର ଗଠନ, ସଚେତନତା ଅଭିଯାନ, ଚାଷୀ ସଂଗଠନ ଓ ଇନ୍ପୁଟ୍ ବ୍ୟବହାର ତଦାରଖ କରିବାର ଥିଲା। କିନ୍ତୁ ଭିଜିଲାନ୍ସ ତଦନ୍ତ ଓ କ୍ଷେତ୍ର ଯାଞ୍ଚରୁ ଏନ୍ଜିଓ ଏପରି କୌଣସି କାମ କରି ନଥିବା ଜଣାପଡ଼ିଲା। ଜିଲାର ୧୨ଟି ବ୍ଲକ୍ର ବ୍ଲକ୍ କୃଷି ଅଧିକାରୀମାନେ ମଧ୍ୟ ଏନ୍ଜିଓ କାମ କରି ନଥିବା କହିଛନ୍ତି।
ତଦନ୍ତରୁ ଜଣାପଡ଼ିଲା, ତିନି ଅଭିଯୁକ୍ତ ମିଶି ଷଡ଼ଯନ୍ତ୍ର କରି କ୍ଷେତ୍ର ପ୍ରମାଣପତ୍ର ବିନା ଏନ୍ଜିଓ ପକ୍ଷରୁ ମିଥ୍ୟା ବିଲ୍ ଉଠାଇ ୨୫,୦୩,୨୪୯ ଟଙ୍କା ହଡ଼ପ କରିଛନ୍ତି । ଏନେଇ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନଂ ୨୭/୨୦୨୬ ରୁଜୁ ହୋଇଛି । ତିନି ଅଭିଯୁକ୍ତଙ୍କୁ ବାଲେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ କୋର୍ଟକୁ ପଠାଯାଇଛି ।