୧୫ ରାଜ୍ୟକୁ ଅକ୍ସିଜେନ୍‌ ଯୋଗାଉଛି ଓଡ଼ିଶା

କଟକ ଅଫିସ, ୨୪ା୫- ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ଫଳରେ ଚିକିତ୍ସା ପାଇଁ ବହୁ ସଂଖ୍ୟକ ରୋଗୀ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏହାଦ୍ୱାରା ବିଭିନ୍ନ ରାଜ୍ୟର ମେଡିକାଲରେ ଅକ୍ସିଜେନ ଅଭାବ ଦେଖାଦେଇଛି। ଏଭଳି ସମୟରେ ଓଡ଼ିଶାରୁ ଦେଶର ୧୫ଟି ରାଜ୍ୟ (ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ତାମିଲନାଡୁ, ପଞ୍ଜାବ, ଛତିଶଗଡ଼, ଦିଲ୍ଲୀ, ବିହାର, ରାଜସ୍ଥାନ, କର୍ନାଟକ, ଚଣ୍ଡିଗଡ଼, କେରଳ)କୁ ମେଡ଼ିକାଲ ଅକ୍ସିଜେନ ଯୋଗାଣ ଜାରି ରହିଛି। ବିଶେଷକରି ରାଉରକେଲା, ଯାଜପୁର, ଢେଙ୍କାନାଳ ଏବଂ ଅନୁଗୋଳ ଜିଲାରୁ ଗତ ୨୮ ଦିନ ମଧ୍ୟରେ ଉପରୋକ୍ତ ରାଜ୍ୟଗୁଡ଼ିକୁ ପୋଲିସ ସୁରକ୍ଷା ବଳରେ ୧୧୨୪ ଟ୍ୟାଙ୍କର ଓ କଣ୍ଟେନରରେ ମେଡିକାଲ ଅକ୍ସିଜେନ ଯୋଗାଯାଇଛି। ଆନ୍ଧ୍ରପ୍ରଦେଶକୁ ୩୪୮ ଟ୍ୟାଙ୍କରରେ ୬୮୪୮.୯୧୪ ଟନ୍‌, ତେଲଙ୍ଗାନାକୁ ୨୮୬ ଟ୍ୟାଙ୍କରରେ ୪୮୯୨.୭୯୯ ଟନ୍‌, ତାମିଲନାଡୁକୁ ୮୪ ଟ୍ୟାଙ୍କରରେ ୧୫୦୧.୯୩୭ ଟନ୍‌, ହରିୟାଣାକୁ ୧୫୯ ଟ୍ୟାଙ୍କରରେ ୨୯୧୯.୬୧୩ ଟନ୍‌, ମହାରାଷ୍ଟ୍ରକୁ ୪୧ ଟ୍ୟାଙ୍କରରେ ୬୬୦.୦୫୧ ଟନ୍‌, ଛତିଶଗଡ଼କୁ ୩୮ ଟ୍ୟାଙ୍କରରେ ୬୧୩.୪୦୧ ଟନ୍‌, ଉତ୍ତରପ୍ରଦେଶକୁ ୫୮ ଟ୍ୟାଙ୍କରରେ ୧୧୫୪.୮୯୨ ଟନ୍‌, ମଧ୍ୟପ୍ରଦେଶକୁ ୬୫ ଟ୍ୟାଙ୍କରରେ ୧୧୪୭.୭୬ ଟନ୍‌, ଦିଲ୍ଲୀକୁ ୨୨ ଟ୍ୟାଙ୍କରରେ ୪୧୦.୨୪ ଟନ୍‌, ପଞ୍ଜାବକୁ ୪ ଟ୍ୟାଙ୍କରରେ ୧୦୭.୮୯ ଟନ୍‌, କର୍ନାଟକକୁ ୮ ଟ୍ୟାଙ୍କରରେ ୧୫୧.୧୨ ଟନ୍‌, ବିହାରକୁ ୩ ଟ୍ୟାଙ୍କରରେ ୬୬.୧୪ ଟନ୍‌, ଚଣ୍ଡିଗଡ଼କୁ ୨ ଟ୍ୟାଙ୍କରରେ ୨୫.୨୯ ଟନ୍‌, କେରଳକୁ ୪ ଟ୍ୟାଙ୍କରରେ ୭୩.୧୬ ଟନ୍‌, ରାଜସ୍ଥାନକୁ ୨ ଟ୍ୟାଙ୍କରରେ ୩୯.୪୨ ଟନ୍‌ ମେଡିକାଲ ଅକ୍ସିଜେନ ପଠାଯାଇଛି ବୋଲି ରାଜ୍ୟ ପୋଲିସ ମୁଖ୍ୟାଳୟ ପକ୍ଷରୁ ସୋମବାର ଏକ ପ୍ରେସ୍‌ ବିବୃତିରେ ସୂଚନା ଦିଆଯାଇଛି।