ବାଲେଶ୍ୱରରେ ‘ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଏକ୍ସପ୍ରେସ୍‌’

ବାଲେଶ୍ୱର, ୨୪।୯(ମାନସ ବିଶ୍ୱାଳ): ଓଡ଼ିଶା ଷ୍ଟାର୍ଟଅପ୍‌ ଯାତ୍ରା ଓ ଷ୍ଟାର୍ଟଅପ୍‌ ଏକ୍ସପ୍ରେସ୍‌ ୨୦୨୩ର ଲକ୍ଷ୍ୟ ହେଉଛି ତୃଣମୂଳ ସ୍ତରରେ ନବ ସୃଜନକାରୀଙ୍କୁ ଉତ୍ସାହିତ କରିବା ଏବଂ ସେମାନଙ୍କ ଭିତରେ ଉଦ୍ୟମିତାର ଭାବ ଜାଗ୍ରତ କରିବା। ଏହି ଉଦ୍ଦେଶ୍ୟରେ ରାଜ୍ୟ ପରିଭ୍ରମଣ କରୁଥିବା ରଥ ବାଲେଶ୍ୱରରେ ପହଞ୍ଚତ୍ଛି। ଜିଲାର ବାଲିଆସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଏବଂ ବିଆଇଟି ପଲିଟେକନିକକୁ ‘ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ’ ଗସ୍ତ କରିଛି। ଏଥିରେ ମୋଟ ୧୫୭ଜଣ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିବା ବେଳେ ମୋଟ୍‌ ୧୮ଟି ଷ୍ଟାର୍ଟଅପ୍‌ ଆଇଡ଼ିଆ ସଂଗ୍ରହ କରାଯାଇଛି। ଆସନ୍ତା ୨୫ ତାରିଖରେ ଏହି ଷ୍ଟାର୍ଟଅପ ଯାତ୍ରା ଜିଲାର ଫକୀରମୋହନ ବିଶ୍ୱବିଦ୍ୟାଳୟ, ରେମୁଣା ଡିଗ୍ରୀ କଲେଜ, ବାଲେଶ୍ୱର ଲ କଲେଜ, ସରକାରୀ ଆଇଟିଆଇ(ବାଲେଶ୍ୱର), ଆର୍‌ଜେ ସ୍କୁଲ ଅଫ ମ୍ୟାନେଜମେଣ୍ଟ ଷ୍ଟଡ଼ିଜ ଏବଂ ସାଗର କଲେଜ ଅଫ ସାଇନ୍ସ ପରିଦର୍ଶନ କରିବ।
ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ ବିଭିନ୍ନ ବିଦ୍ୟାଳୟ ଏବଂ କଲେଜ ଛାତ୍ରୀଛାତ୍ରଙ୍କଠାରୁ ଅଦ୍ଭୂତପୂର୍ବ ପ୍ରତିକ୍ରିୟା ହାସଲ କରିଛି। ଯାତ୍ରାର ୨୦୨୩ ସଂସ୍କରଣରେ ୪ଟି ଭ୍ୟାନ୍‌ ସମସ୍ତ ୩୦ଟି ଜିଲା ପରିଦର୍ଶନ କରିବ। ପୂର୍ବ ସଂସ୍କରଣର ଉଲ୍ଲେଖନୀୟ ସଫଳତା ପରେ ଚଳିତବର୍ଷ ଏହି ଷ୍ଟାର୍ଟଅପ୍‌ ଯାତ୍ରା ୨୦୦ରୁ ଅଧିକ କଲେଜ ଏବଂ ୬୦ରୁ ଅଧିକ ବିଦ୍ୟାଳୟ ପରିଦର୍ଶନ କରି ଏହି ପ୍ରୟାସକୁ ଆହୁରି ଆଗକୁ ବଢ଼ାଇବାକୁ ଲକ୍ଷ୍ୟ ରଖିଛି। ବହୁସଂଖ୍ୟକ ଛାତ୍ରୀଛାତ୍ର ଏହି ଯାତ୍ରାରେ ଅଂଶଗ୍ରହଣ କରିଛନ୍ତି ଏବଂ ସେମାନଙ୍କର ଅଭିନବ ଚିନ୍ତାଧାରା ଉପସ୍ଥାପନ କରିଛନ୍ତି। ଏହା ୨୦୨୫ ସୁଦ୍ଧା ରାଜ୍ୟ ସରକାରଙ୍କ ୫୦୦୦ ଷ୍ଟାର୍ଟଅପ୍‌ ସୃଷ୍ଟି କରିବା ଲକ୍ଷ୍ୟ ପାଇଁ ଭିତ୍ତିଭୂମି ତିଆରି କରିପାରିଛି। ଯଦ୍ୱାରା ୨୫,୦୦୦ରୁ ଅଧିକ ଛାତ୍ରୀଛାତ୍ର ପ୍ରଭାବିତ ହେବେ।