Categories: ଖେଳ

ଓଡ଼ିଶା ରୋଲବଲ୍‌ ବାଳିକା ଦଳ ମିଳିତ ଚାମ୍ପିୟନ

ଭୁବନେଶ୍ୱର, ୧।୧୨(କ୍ରୀଡ଼ା ପ୍ରତିନିଧି): ପୁଣେରେ ଅନୁଷ୍ଠିତ ଏକ୍‌ ଭାରତ ଶ୍ରେଷ୍ଠ ଭାରତ ଜାତୀୟ ରୋଲବଲ ଚାମ୍ପିୟନଶିପ୍‌ରେ ଓଡ଼ିଶା ଦଳ ସଫଳତା ଅର୍ଜନ କରିଛି। ବୁଧବାର ଶେଷ ହୋଇଥିବା ପ୍ରତିଯୋଗିତାରେ ଓଡ଼ିଶା-ମହାରାଷ୍ଟ୍ର ମିଳିତ ସିନିୟର ବାଳିକା ଦଳ ଚାମ୍ପିୟନ ହୋଇଛି।

ଫାଇନାଲରେ ଏହି ଦଳ ମଧ୍ୟପ୍ରଦେଶ-ନାଗାଲାଣ୍ଡ ମିଳିତ ଦଳକୁ ୫-୩ ଗୋଲରେ ପରାସ୍ତ କରିଛି। ଗୁଜରାଟ-ଛତିଶଗଡ଼ ମିଳିତ ଦଳ କର୍ନାଟକ-ଉତ୍ତରାଖଣ୍ଡକୁ ହରାଇ ତୃତୀୟ ସ୍ଥାନ ହାସଲ କରିଛି। ସିନିୟର ବାଳକ ଗ୍ରୁପ୍‌ରେ ଓଡ଼ିଶା-ମହାରାଷ୍ଟ୍ର ମିଳିତ ଦଳ ଦ୍ୱିତୀୟ ରନରଅପ୍‌ ହୋଇଛି। ଏହିଦଳ ଉତ୍ତର ପ୍ରଦେଶ-ଅରୁଣାଚଳ ପ୍ରଦେଶ-ମେଘାଳୟ ମିଳିତ ଦଳକୁ ୭-୨ ଗୋଲରେ ପରାସ୍ତ କରିଛି। ଗୁଜରାଟ-ଛତିଶଗଡ଼ ଦଳ ମଧ୍ୟପ୍ରଦେଶ-ମଣିପୁର-ନାଗାଲାଣ୍ଡ ମିଳିତ ଦଳକୁ ୭-୪ ଗୋଲରେ ହରାଇ ଚାମ୍ପିୟନ ହୋଇଛି। ଆରଏଲ୍‌ଏମ୍‌ଏସ୍‌ଏସ୍‌ର ଓ୍ବିଙ୍ଗ୍‌ କମାଣ୍ଡର ଏମ୍‌. ୟଗ୍ନଭନମ, ମହାରାଷ୍ଟ୍ର ରୋଲ ବଲ୍‌ ଆସୋସିଏଶନ ସଭାପତି ସନ୍ଦିପ ଖର୍ଦେକର, ଉପସଭାପତି ଅମୋଲ କାଜଲେପାଟିଲ, ଓଡ଼ିଶା ରୋଲ ବଲ୍‌ ଆସୋସିଏଶନ ସମ୍ପାଦକ ସୌଦାମିନୀ ପାତ୍ର, ରୋଲ୍‌ବଲ୍‌ କ୍ରୀଡ଼ାର ପ୍ରତିଷ୍ଠାତା ରାଜୁ ଦାଭାଡେ ପ୍ରମୁଖ ଉଦ୍‌ଯାପନୀ ଉତ୍ସବରେ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ।

Share