‘ଓଡ଼ିଶାର ଆଞ୍ଚଳିକ ଜୁଡିସିଆଲ ଏକାଡେମୀ ଦେଶ ପାଇଁ ଉଦାହରଣ’

କଟକ ଅଫିସ,୧୪।୫: ରାଜ୍ୟର ଅନୁଗୋଳ, ବାଲେଶ୍ୱର, କୋରାପୁଟ, ଗଞ୍ଜାମ, ସମ୍ବଲପୁର ଜିଲାରେ ଆଞ୍ଚଳିକ ଜୁଡିସିଆଲ ଏକାଡେମୀ କାର୍ଯ୍ୟକ୍ଷମ ହୋଇଛି। ବିଚାର ବିଭାଗୀୟ ଅଧିକାରୀ, କୋର୍ଟ କର୍ମଚାରୀ, ଆଇନଜୀବୀଙ୍କ ଦକ୍ଷତା ବିକାଶ ପାଇଁ ଏହି ଏକାଡେମୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ଅନୁଗୋଳଠାରେ ଅନୁଗୋଳ, ଦେବଗଡ଼, ଢେଙ୍କାନାଳ, କେନ୍ଦୁଝର ଜିଲା, ବାଲେଶ୍ୱରଠାରେ ବାଲେଶ୍ୱର, ଯାଜପୁର, ମୟୁରଭଞ୍ଜ, ଭଦ୍ରକ ଜିଲା, କୋରାପୁଟଠାରେ କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା ଜିଲା, ଗଞ୍ଜାମଠାରେ ଗଞ୍ଜାମ, ଗଜପତି, ନୟାଗଡ଼, କନ୍ଧମାଳ ଏବଂ ସମ୍ବଲପୁରଠାରେ ସମ୍ବଲପୁର, ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା ଜିଲା କୋର୍ଟଗୁଡ଼ିକ ଉପକୃତ ହେବ ବୋଲି ହାଇକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି।
କଟକସ୍ଥିତ ଓଡ଼ିଶା ଜୁଡିସିଆଲ ଏକାଡେମୀଠାରେ ଶନିବାର ଆୟୋଜିତ କାର୍ଯ୍ୟକ୍ରମରେ ସୁପ୍ରିମକୋର୍ଟ ବିଚାରପତି ସୂର୍ଯ୍ୟ କାନ୍ତ ଆଭାସୀ ମାଧ୍ୟମରେ ୫ଟି ଆଞ୍ଚଳିକ ଜୁଡିସିଆଲ ଏକାଡେମୀକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ, ଓଡ଼ିଶାର ଆଞ୍ଚଳିକ ଜୁଡିସିଆଲ ଏକାଡେମୀଗୁଡ଼ିକ ଦେଶ ପାଇଁ ଉଦାହରଣ ହୋଇଛି। ସାଧାରଣ ଲୋକଙ୍କୁ ନ୍ୟାୟ ଦେବାରେ ଜିଲାକୋର୍ଟଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଜିଲାକୋର୍ଟଗୁଡ଼ିକର କାର୍ଯ୍ୟକାରିତାରେ ଜୁଡିସିଆଲ ଏକେଡେମୀ ବହୁ ଭାବେ ସହାୟକ ହୋଇପାରିବ। ଓଡ଼ିଶା ହାଇକୋର୍ଟ ଏବଂ ରାଜ୍ୟ ସରକାରଙ୍କର ଏହା ଏକ ମହତ୍‌ ଉଦ୍ୟମ ବୋଲି ସେ କହିଥିଲେ। ସେହିପରି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର ଜୁଡିସିଆଲ ଏକାଡେମୀଗୁଡ଼ିକର ପ୍ରତିଷ୍ଠା ପାଇଁ ହାଇକୋର୍ଟ ଓ ଜିଲାକୋର୍ଟ ବିଚାରପତିମାନଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଏଥିସହ ସେ କହିଥିଲେ, ରାଜ୍ୟର ଭୌଗୋଳିକ ଅବସ୍ଥିତିକୁ ବିଚାର କରାଯାଇ ଜୁଡିସିଆଲ ଏକାଡେମୀଗୁଡ଼ିକୁ ନିକଟତମ ଜିଲାଗୁଡ଼ିକର କ୍ଲଷ୍ଟର ଭାବେ ଚୟନ କରାଯାଇଛି। ବୈଷୟିକ ଜ୍ଞାନକୌଶଳ ଉପଯୋଗ କରି ବିଭିନ୍ନ ତାଲିମ କାର୍ଯ୍ୟକ୍ରମ କରାଇବା ପୂର୍ବାପେକ୍ଷା ସହଜ ହେବ। ଏହାଦ୍ୱାରା ସମୟ ଓ ଅର୍ଥ ନଷ୍ଟ ହେବ ନାହିଁ ବୋଲି ସେ କହିଥିଲେ।
ହାଇକୋର୍ଟ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀ ସ୍ବାଗତ ଭାଷଣ ଦେଇ ଗତ ୫ ବର୍ଷ ମଧ୍ୟରେ ଓଡ଼ିଶା ଜୁଡିସିଆଲ ଏକାଡେମୀରେ ୩୦୦ ତାଲିମ କାର୍ଯ୍ୟକ୍ରମ ହୋଇଥିବା ସୂଚନା ଦେଇଥିଲେ। ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ହାଇକୋର୍ଟର ବହୁ ବିଚାରପତି ଉପସ୍ଥିତ ଥିଲେ। ସେହିପରି ଆଭାସୀ ମାଧ୍ୟମରେ ଜିଲାକୋର୍ଟଗୁଡ଼ିକରେ ବିଚାର ବିଭାଗୀୟ ଅଧିକାରୀମାନେ କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ।