Categories: ରାଜ୍ୟ

ଓଡ଼ିଶାକୁ ମିଳିଲା ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର

ଭୁବନେଶ୍ୱର,୧୩।୭(ବ୍ୟୁରୋ): ୨୦୨୧-୨୨ରେ ୪୯ ହଜାର ୫୩୦ କୋଟି ଟଙ୍କାର ଖଣି ରାଜସ୍ବ ଆଦୟ ହୋଇଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୧ ହଜାର ୮୮୭ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରାଯାଇଛି। ଏହା ବିଗତ ବର୍ଷ ତୁଳନାରେ ୨୧.୭୮ ପ୍ରତିଶତ ଅଧିକ । ତେବେ ଖଣି ପରିଚାଳନାରେ ଓଡିଶା ଏକ ନମ୍ବର ଭାବେ ରାଷ୍ଟ୍ରୀୟ ଖଣିଜ ବିକାଶ ପୁରସ୍କାର ପାଇଥିବା ନେଇ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ଖବରଦାତା ସମ୍ମିଳନୀ କରି କହିଛନ୍ତି ।

୨୦୧୫ରେ କେନ୍ଦ୍ର ସରକାର ଖଣି ନୀତିରେ ନୂଆ ସଂସ୍କାର ଆଣିବା ପରେ ଅଧିକ ଲାଭାନ୍ବିତ ହୋଇଛି ଓଡିଶା । ଖଣି କ୍ଷେତ୍ରରେ ବିରାଟ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ସୁଦ୍ଧା ୨୨ଟିର ଅବଧି ଶେଷ ହୋଇଥିବା ବେଳେ ଖଣିଜ ଲିଜ୍‌ ସମେତ ୩୭ ଖଣିଜ ବ୍ଲକର ନିଲାମ ପ୍ରକ୍ରିୟା ଶେଷ ହୋଇଛି । ଆଗକୁ ଆଉ ୧୫ଟି ପ୍ରମୁଖ ଖଣି ଏବଂ ୧୬ଟି ଲଘୁ ଖଣିଜ ବ୍ଲକର ନିଲାମ କରାଯିବ । ଚଳିତ ବର୍ଷ ମୋଟ ଖଣିଜ ପଦାର୍ଥର ଉତ୍ପାଦନ ୧୦୭. ୫୪୬ ମିଲିୟନ ଟନ ହୋଇଛି। ସେହିଭଳି ୧୦୦.୬୧୨ ମିଲିୟନ ଟନ ପରିବହନ ହୋଇଛି। ଦେଶରେ ଆବଶ୍ୟକ ହେଉଥିବା ଲୁହା ପଥରର ୫୦ ପ୍ରତିଶତ କେବଳ ଓଡିଶା ପୂରଣ କରୁଥିବା ସେ କହିଛନ୍ତି।