ଧର୍ମଗଡ଼,୧୧।୭(ଘାସିରାମ ଜଗତ): କଳାହାଣ୍ଡି ଜିଲା ଧର୍ମଗଡ଼ ସହରର କେନ୍ଦ୍ରସ୍ଥଳରେ ଏକ ଦୁଃସାହସିକ ସଶସ୍ତ୍ର ଡକାୟତି ଘଟଣା ସାମ୍ନାକୁ ଆସିଛି। ଧର୍ମଗଡ଼ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ବିଶେଷଜ୍ଞ ଡାକ୍ତର ଅଜିତ କୁମାର ଦାସଙ୍କ ସରକାରୀ କ୍ୱାର୍ଟରରେ ପଶି ୪ ଜଣ ମୁଖାପିନ୍ଧା ଡକାୟତ ତାଙ୍କୁ କାବୁ କରିବା ସହ ଲକ୍ଷାଧିକ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ରୋଗୀ ଦେଖାଇବା ବାହାନାରେ ଡକାୟତମାନେ ଡାକ୍ତରଙ୍କ କବାଟ ବାଡ଼େଇଥିଲେ। ଡାକ୍ତର ଦାସ କବାଟ ଖୋଲିବା ମାତ୍ରେ ସେମାନେ ଜୋରଜବରଦସ୍ତ ଘର ଭିତରକୁ ପଶି ଆସିଥିଲେ। ଡକାୟତମାନେ ଡାକ୍ତରଙ୍କ ହାତ-ଗୋଡ଼ ବାନ୍ଧିବା ସହ ମୁହଁରେ ସେଲୋଟେପ୍ ଲଗାଇ ଦେଇଥିଲେ। ଏହି ସମୟରେ ଡାକ୍ତର ଦାସ ସାହସ ସଂଚୟ କରି ଜଣେ ଦୁର୍ବୃତ୍ତଙ୍କ ପକେଟରୁ ବନ୍ଧୁକ ଛଡ଼ାଇ ଗୁଳି ଚଳାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେଥିରୁ ଗୁଳି ଫୁଟି ନ ଥିଲା। ତେବେ ତିନିଜଣ ଡକାୟତ ତାଙ୍କୁ ପୂଜାଘରେ ଜଗି ରହିଥିବା ବେଳେ ଅନ୍ୟ ଜଣେ ଆଲମିରା ଭାଙ୍ଗି ନଗଦ ପ୍ରାୟ ୮୨ ହଜାର ଟଙ୍କା, ୫୪ ଗ୍ରାମର ସୁନା ଚେନ୍ ଓ ଦୁଇଟି ମୁଦି ଲୁଟି ଚମ୍ପଟ ମାରିଛନ୍ତି।
ଖବର ପାଇ ଧର୍ମଗଡ଼ ପୋଲିସ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତାରେ ଘଟଣାର ତଦନ୍ତ ଆରମ୍ଭ କରିଛି। ଉପ-ଜିଲାପାଳଙ୍କ ବାସଭବନ କାନ୍ଥକୁ ଲାଗି ରହିଥିବା ଏହି ସରକାରୀ ଆବାସିକ ପରିସରରେ ଏଭଳି କାଣ୍ଡ ଘଟିବା ସହରର ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସହରରେ କ୍ରମାଗତ ଚୋରି ଓ ଡକାୟତି ବଢ଼ୁଥିଲେ ମଧ୍ୟ ଦୁର୍ବଳ ପୋଲିସ ପେଟ୍ରୋଲିଂ ଯୋଗୁ ଅପରାଧୀଙ୍କୁ ଧରିବାରେ ପୋଲିସ ବିଫଳ ହେଉଥିବା ନେଇ ସ୍ଥାନୀୟ ବ୍ୟବସାୟୀ ସଂଘ, ବରିଷ୍ଠ ନାଗରିକ ଓ ବୁଦ୍ଧିଜୀବୀମାନେ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।