Categories: ରାଜ୍ୟ

ବିଜେଡିରେ ଯୋଗଦେଲେ ଲୋକପ୍ରିୟ ଡାକ୍ତର ଦେବାନନ୍ଦ ମହାପାତ୍ର

ଭୁବନେଶ୍ୱର,୭ା୪(ଅନିଲ ଦାସ): କଟକ ଜିଲା ଅନ୍ତର୍ଗତ ଚୌଦ୍ୱାର- କଟକ ନିର୍ବାଚନମଣ୍ଡଳୀର ଲୋକପ୍ରିୟ ପ୍ରଫେସର ଡାକ୍ତର ଦେବାନନ୍ଦ ମହାପାତ୍ର ଶନିବାର ଶଙ୍ଖଭବନଠାରେ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦେବାନନ୍ଦଙ୍କୁ ସସ୍ମିତ ଉପଢ଼ୌକନ ଦେଇ ଦଳକୁ ସ୍ବାଗତ କରିଥିଲେ। ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜିଷ୍ଟ ଓ ହେପାଟୋଲୋଜିଷ୍ଟର ବିଶେଷଜ୍ଞ ଭାବେ ଡାକ୍ତର ମହାପାତ୍ର ଦୀର୍ଘ ୨୯ ବର୍ଷ କାଳ ପ୍ରଫେସର ଭାବେ କାର୍ଯ୍ୟକରି ବହୁ ଲୋକପ୍ରିୟତା ହାସଲ କରିଛନ୍ତି। ଏହାଛଡ଼ା ସେ ବିଭିନ୍ନ ଡାକ୍ତର ସଂଘ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ଦେବାନନ୍ଦଙ୍କ ଯୋଗଦାନ ଫଳରେ ବିଶେଷକରି ଚୌଦ୍ୱାର-କଟକ ନିର୍ବାଚନମଣ୍ଡଳୀରେ ଦଳୀୟ ସଙ୍ଗଠନ ଆହୁରି ମଜଭୁତ ହେବ ବୋଲି ସସ୍ମିତ କହିଛନ୍ତି।
ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ବଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ଯୋଗ ଦେଇଥିବା କହିଛନ୍ତି। ନୂତନ ଓଡ଼ିଶା ଗଠନ ଦିଗରେ ମୁଖ୍ୟମନ୍ତ୍ରୀ ଯାହା ଦାୟିତ୍ୱ ଦେବେ ତାକୁ ସେ ସୁଚାରୁରୂପେ ତୁଲାଇବେ । ଦଳରେ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ ଦେବାନନ୍ଦ କୃତଜ୍ଞତା ଜଣାଇଛନ୍ତି।