‘ଓଡ଼ିଶା ଲୋକେ ପିଉଛନ୍ତି ଝାଡ଼ଖଣ୍ଡ ପାଣି’

ବାରିପଦା ଅଫିସ,୨୮।୮-ମୟୂରଭଞ୍ଜ ଜିଲା ତିରିଂ ବ୍ଲକ ଅନ୍ତର୍ଗତ କେତେକ ଗ୍ରାମର ଲୋକେ ପାନୀୟ ଜଳରୁ ବଞ୍ଚିତ ହୋଇ ସୀମାନ୍ତ ଝାଡ଼ଖଣ୍ଡ ରାଜ୍ୟର ପାଣିକୁ ବ୍ୟବହାର କରୁଛନ୍ତି। ଏନେଇ ଶୁକ୍ରବାର ଅନୁଷ୍ଠିତ ୧୧ତମ ଜିଲା ପରିଷଦ ବୈଠକରେ କଥା ଉଠିବା ପରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ପାନୀୟ ଜଳ ସମସ୍ୟାକୁ ନେଇ ମୟୂରଭଞ୍ଜ ସୀମା ଅଞ୍ଚଳରେ ଯେପରି କୋଟିଆ ଭଳି ପରିସ୍ଥିତି ନ ଉପୁଜେ ସେଥିଲାଗି ବୈଠକରେ ଉପସ୍ଥିତ ଥିବା ଜିଲାର ବିଧାୟକମାନେ ବିଭାଗୀୟ ଅଧିକାରୀମାନଙ୍କୁ ତାଗିଦ୍‌ କରିଥିଲେ। ତିରିଂ ବ୍ଲକ ଅଧ୍ୟକ୍ଷା ଜେମାମଣି ଶୁଣ୍ଡି ପାନୀୟ ଜଳ ସମସ୍ୟାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ମୟୂରଭଞ୍ଜ-ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତରେ ଥିବା ତିରିଂ ବ୍ଲକ ଅନ୍ତର୍ଗତ କେତେକ ଗ୍ରାମର ଲୋକେ ଝାଡ଼ଖଣ୍ଡ ରାଜ୍ୟର ପାଣି ପିଉଛନ୍ତି। ଏ ସମ୍ପର୍କରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଉଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହି ଘଟଣା ସମ୍ପର୍କରେ ଅବଗତ ହେଲା ପରେ ପରିଷଦର ସଦସ୍ୟମାନେ କ୍ଷୋଭ ପ୍ରକାଶ କରିଥିଲେ। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ସୀମାନ୍ତରେ ବସବାସ କରୁଥିବା ଲୋକମାନଙ୍କ ମୌଳିକ ସମସ୍ୟା ସୁଧାରିବା ଲାଗି ବିଧାୟକମାନେ ଗୁରୁତ୍ୱାରୋପ କରିଥିଲେ। ତେବେ ସେହି ଅଞ୍ଚଳରେ ବସବାସ କରୁଥିବା ପଞ୍ଚାୟତ ଓ ଗଁାର ତାଲିକା ପ୍ରସ୍ତୁତ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ଜଳଯୋଗାଣ ଆଦି ବ୍ୟବସ୍ଥାଗୁଡ଼ିକ ଅନୁଧ୍ୟାନ ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜିଲାପାଳ ବିନୀତ ଭରଦ୍ୱାଜ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବାରିପଦା ମୁର୍ଗାବାଡ଼ିସ୍ଥିତ ପ୍ରୟାସ ହଲରେ ଅନୁଷ୍ଠିତ ବୈଠକରେ ଜିଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ ସଭାପତିତ୍ୱ କରିଥିଲେ। ଏଥିରେ ରାଜ୍ୟସଭା ସଦସ୍ୟା ମମତା ମହାନ୍ତ, ଜିଲାପାଳ ଭରଦ୍ୱାଜ, ପିଡି ଡିଆରଡିଏ ପି.ଅନ୍ବେଷା ରେଡ୍ଡି, ବଡ଼ସାହି ବିଧାୟକ ସନାତନ ବିଜୁଳୀ, ବାରିପଦା ବିଧାୟକ ପ୍ରକାଶ ସୋରେନ, ଉଦଳା ବିଧାୟକ ଭାସ୍କର ମଢ଼େଇ, ସାରସକଣା ବିଧାୟକ ଡା. ବୁଢାନ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝି, କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଓ ମୋରଡ଼ା ବିଧାୟକ ରାଜକିଶୋର ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଜିଲାର ୫୬ଜଣ ଜିଲା ପରିଷଦ ସଦସ୍ୟା ସଦସ୍ୟ, ବ୍ଲକ ଅଧ୍ୟକ୍ଷା ଅଧ୍ୟକ୍ଷ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲାର ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ, ମତ୍ସ୍ୟ ଓ ପଶୁପାଳନ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା ା
ଅନ୍ୟପକ୍ଷରେ ୨୦୨୦-୨୧ ଓ ୨୧-୨୨ ଆର୍ଥିକ ବର୍ଷରେ ପଞ୍ଚମ ଅର୍ଥ କମିଶନ ଡିଭଲ୍ୟୁଶନ ପାଣ୍ଠି ଅନୁଦାନରେ ପ୍ରତି ପଞ୍ଚାୟତ ସମିତିକୁ ୨୯ଲକ୍ଷ ୧୪ହଜାର ୩୩୧ଟଙ୍କା ପାନୀୟଜଳ ଯୋଗାଣ ନିମନ୍ତେ ପ୍ରଦାନ କରାଯିବା ଲାଗି ଏହି ବୈଠକରେ ଗୃହୀତ ହେବାର ଥିଲା ା ଦୀର୍ଘ ୮ମାସ ପରେ ବୈଠକ ବସିଥିବା ବେଳେ ପ୍ରକଳ୍ପ ମଞ୍ଜୁରୀକୁ ନେଇ ପ୍ରଶାସନ ଓ ସଭ୍ୟମାନେ ଜିଦ୍‌ରେ ଅଡ଼ି ବସିଥିଲେ। ମାତ୍ର ଜିଲା ପରିଷଦ ଅଧ୍ୟକ୍ଷାଙ୍କ ରାଜ୍ୟସ୍ତରୀୟ ଭିଡିଓ କନଫରେନ୍ସିଂ ବୈଠକ ଥିବା ନେଇ ସେ ବୈଠକକୁ ଅଧାରୁ ବନ୍ଦ କରିଦେଇଥିଲେ। ଏହାକୁ ନେଇ ପରିଷଦର ସଦସ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।