Categories: ଖେଳ

ଜୁନିୟର ହକି ବିଶ୍ୱକପ୍‌ ଭେନ୍ୟୁ ଦୌଡ଼ରେ ଭୁବନେଶ୍ୱର

ନୂଆଦିଲ୍ଲୀ,୧୪।୯: ଚଳିତ ବର୍ଷ ନଭେମ୍ବର ୨୫ରୁ ଡିସେମ୍ବର ୫ ତାରିଖ ପର୍ଯ୍ୟନ୍ତ ଭାରତରେ ଆୟୋଜନ ହେବାକୁ ଯାଉଛି ଜୁନିୟର ପୁରୁଷ ହକି ବିଶ୍ୱକପ୍‌। କିନ୍ତୁ ଏହି ଇଭେଣ୍ଟ କେଉଁ ସହରରେ ହେବ, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ। ଏ ପର୍ଯ୍ୟନ୍ତ ଗୁଆହାଟିକୁ ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌)ର ଜୁନିୟର ଇଭେଣ୍ଟ ଆୟୋଜନ ଅଧିକାର ମିଳିପାରେ ବୋଲି ଆକଳନ କରାଯାଉଥିଲା। ମାତ୍ର ଏହି ଇଭେଣ୍ଟ ଆୟୋଜନ ପାଇଁ ଲକ୍ଷ୍ନୌ ଏବଂ ଭୁବନେଶ୍ୱର ଆଗେଇ ଆସିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୬ ସଂସ୍କରଣରେ ଭାରତ ଜୁନିୟର ବିଶ୍ୱକପ୍‌ ହାତେଇଥିଲା।

ଇଭେଣ୍ଟକୁ ଆଉ ମାତ୍ର ୨ ମାସ ବାକି ଥିବା ବେଳେ ହକି ଇଣ୍ଡିଆ (ଏଚ୍‌ଆଇ)ଠାରୁ ସ୍ପଷ୍ଟିକରଣକୁ ଅପେକ୍ଷା କରିଛି ଏଫ୍‌ଆଇଏଚ୍‌। ଜୁନିୟର ହକି ବିଶ୍ୱକପ୍‌ର ମହିଳା ସଂସ୍କରଣ ଆସନ୍ତା ଡିସେମ୍ବର ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାର ପୋତ୍‌ଚେଫଷ୍ଟ୍ରୁମଠାରେ ଅନୁଷ୍ଠିତ ହେବାର ଅଛି।

ଆଗାମୀ ଏଫ୍‌ଆଇଏଚ୍‌ ହକି ଜୁନିୟର ପୁରୁଷ ବିଶ୍ୱକପ୍‌ ଇଭେଣ୍ଟ କେଉଁ ସହରରେ ହେବ, ଏ ପର୍ଯ୍ୟନ୍ତ ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ଇଭେଣ୍ଟର ପ୍ରସ୍ତୁତି ପାଇଁ ଆମେ ହକି ଇଣ୍ଡିଆ ସହ ନିୟମିତ ଯୋଗାଯୋଗରେ ଅଛୁ ବୋଲି ଏଫ୍‌ଆଇଏଚ୍‌ର ଯୋଗାଯୋଗର ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ବିଶ୍ୱ ସ୍ତରୀୟ ଇଭେଣ୍ଟ ଆୟୋଜନ ପାଇଁ ଓଡ଼ିଶାର ନାବ ବେଶ୍‌ ଚର୍ଚ୍ଚା ହେଉଛି। କାରଣ ଟୋକିଓ ଅଲିମ୍ପିକ୍ସ ସଫଳତା ପରେ ଭାରତୀୟ ହକି ଦଳର ସ୍ପନଶରଶିପ୍‌ ଦାୟିତ୍ୱକୁ ୨୦୩୨ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି ଓଡ଼ିଶା ସରକାର। ଏହାବାଦ୍‌ ୨୦୨୩ ପୁରୁଷ ହକି ବିଶ୍ୱକପ୍‌ର ଆୟୋଜନ ଅଧିକାର ମଧ୍ୟ ଓଡ଼ିଶାକୁ ମିଳିଛି। ୨୦୧୮ ପୁରୁଷ ବିଶ୍ୱକପ୍‌ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିଲା। ଅନ୍ୟପକ୍ଷରେ ଜୁନିୟର ବିଶ୍ୱକପ୍‌ର ଆୟୋଜନ ଅଧିକାର ଦୌଡ଼ରେ ଥିବା ଲକ୍ଷ୍ନୌ ୨୦୧୬ ସଂସ୍କରଣ ଆୟୋଜନ କରିଥିଲା।

Share